ଓଏନଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୭ ମୃତ

ମୁମ୍ବାଇଠାରୁ ୪୫ କିଲୋମିଟର ଦୂର ନାଭି ମୁମ୍ବାଇର ଓଏନଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଓଏନଜିସି କର୍ମଚାରୀ ରହିଥିବା ବେଳେ ୨ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଥିବା ୩ ଜଣଙ୍କ ଜୀବନ୍ତ ଜାଳି ପ୍ରାଣ ହରାଇଥିବା ବେଳେ ଆଉ ୬ ଜଣଙ୍କୁ ଚିକିତ୍ସାଳୟକୁ ଅଣାଯାଇଥିଲା। ଆହତଙ୍କ ମଧ୍ୟରୁ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡ ପରେ ପୁଲିସ, ଅଗ୍ନିଶମ ବିଭାଗ ଓ ndrf ଟିମ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା। ତେବେ ଏହା ଦ୍ୱାରା ତୈଳ ଉତ୍ପାଦନ ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ଓଏନଜିସି ପକ୍ଷରୁ ଟ୍ୱିଟ କରାଯାଇଛି। ପ୍ରକାଶ ଥାଉ କି ଓଏନଜିସି ହେଉଛି ଦେଶର ସର୍ବବୃହତ ଘରୋଇ ଗ୍ୟାସ ସଂସ୍ଥା, ଯେଉଁଠାରେ ଦେଶର ୭୦ ପ୍ରତିଶତ ଘରୋଇ ଗ୍ୟାସ ପ୍ରକ୍ରିୟାକରଣ ହୋଇଥାଏ।