୭ ଦାଦନ ଉଦ୍ଧାର : ୨ଗିରଫ

ନୂଆପଡ଼ା, ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ଡାବାହାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିର ସିନାପାଲି ପୁଲିସ ୪ଜଣ ମହିଳା ସମେତ ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ସହ ଶିଶୁ ମଧ୍ୟ ଅଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି, ସିନାପାଲି ଥାନା ସରଧାପୁର ଗାଁ’ର ରୋହିତ ଗହୀର (୨୭), ପ୍ରମିଳା ଗହୀର(୨୪), ରଘୁ ଗହୀର(୨୨), ପୂର୍ଣ୍ଣମୀ ଗହୀର(୨୦), ତୁଳେ ଗହୀର(୬୦) ଓ ତିଲେଇମାଲ ଗାଁ’ର ସୁଗ୍ରୀବ ତେଜି(୨୦), ପୁଷ୍ପାଞ୍ଜଳି ତେଜି (୨୦) ଓ ଯୁଗେନ୍ଦ୍ର ଗହୀର। ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ପୁଲିସ ୨ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବିଳମ୍ବିତ ରାତ୍ରିରେ ସିନାପାଲି ଥାନାଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ଙ୍କ ନେତୃତ୍ୱରେ ଏକ ଟିମ ଗଣ୍ଡାବାହାଲିରେ ଚଢ଼ଉ କରିଥିଲେ। ସେମାନେ ବସ ମାଧ୍ୟମରେ କଣ୍ଟାବାଞ୍ଜିକୁ ଯାଇ ସେଠାରୁ ଟ୍ରେନରେ ଯିବାର ଯୋଜନା ରହିଥିଲା। ହେଲେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ। ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ଶ୍ରମିକ ଅଧିକାରୀଙ୍କୁ ଜଣାଇବାରୁ ଗ୍ରାମୀଣ ଶ୍ରମିକ ନିରୀକ୍ଷକ ଗୌରହରି ତାଣ୍ଡି ଥାନାରେ ପହଞ୍ôଚ ଶ୍ରମିକଙ୍କୁ ପଚରାଉଚୁରା ପରେ ଛାଡ଼ି ଦେଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।