ସମ୍ବଲପୁର,ଏନ୍ଏନ୍ଏସ୍ : ୫୩ନମ୍ବର ଜାତୀୟ ରାଜପଥରେ ସମ୍ବଲପୁର ଜିଲ୍ଲା ସଦର ଥାନା ଅଞ୍ଚଳ ଦେଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରାପଡିଛି। ପୁଲିସ ପ୍ରାୟ ୪ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ସହ ଏକ ମହିନ୍ଦ୍ରା ଭେରିଟୋ କାର, ଦୁଇଟି ବାଇକ ନଗଦ ଟଙ୍କା, ୮ଟି ମୋବାଇଲ ଜବତ କରିଛି। ଏହି ଚୋରା ଚାଲାଣ ମାମଲାରେ ପୁଲିସ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳର ରଞ୍ଜନ ହରିପାଲ(୩୨) ଓ ବୀରମହାରାଜପୁର ଥାନା ଅଞ୍ଚଳର ଦିଲୀପ ଭୋରାସାଗର(୩୫) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ବିଭୁ ରାଜହଂସ(୨୭), ଅନାଦି ଭୁକ୍ତା(୨୮), ଦୟାନନ୍ଦ ମଲ୍ଲିକ(୨୦), ପ୍ରଶାନ୍ତ ମାଝୀ(୩୫) ଏବଂ ବାଉଁଶୁଣି ଥାନା ଅଞ୍ଚଳର କେ ମହେର (୩୨)ଙ୍କୁ ଗିରଫ କରିଛି।
ସଦର ଥାନା ଆଇଆଇସି ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି ଯେ, ଉପରୋକ୍ତ କାରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସଦର ଥାନା ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ନାକାବନ୍ଦୀ କରାଯାଇଥିଲା। ସେଥିରେ ଗଞ୍ଜେଇ ଚୋରା ଚାଲାଣ ଧରାପଡିଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।