ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାକୁ ରବିବାର ୫ଟି ମୁଖ୍ୟ ସଚିବ ଭି.କେ ପାଣ୍ଡିଆନ ପରିଦର୍ଶନରେ ଯାଇଥିବାବେଳେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପଙ୍କଜ ପଟେଲଙ୍କୁ କାର୍ଯ୍ୟରେ ତ୍ର୍ରୁଟି ଯୋଗୁଁ ନିଲମ୍ବନ କରିଥିଲେ। ତେବେ ଶ୍ରୀ ପଟେଲଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ସୋମବାର ବିଜେପି ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ୟ୍ୟନ୍ତ ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି ।

ଏ ନେଇ ଆଜି ସକାଳୁ ସହରର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟଗୁଡ଼ିକ ବନ୍ଦ ରହିଥିବାର ସୂଚନା ମିଳିଛି। ସେହିପରି ଜାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ବିରାଟ ରାଲି ଅନୁଷ୍ଠିତ ହୋଇଛି। ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଜାରି କରାଯାଇଥିବା ନିଲମ୍ବନ ପ୍ରତିବାଦରେ ଗତକାଲି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଲା ବେଳକୁ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ହୋଇ ‘ଫାଇଭ୍ ଟି’ ସଚିବ ଭି.କେ ପାଣ୍ଡିଆନ୍ ତାଙ୍କୁ ନିଲମ୍ବିତ କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି ହୋଇଥିଲା।