ବାଲିଗୁଡା ଏନ୍‌ଏସିରେ ମତଦାନ ହାର ୬୯.୦୭ %, ଶାନ୍ତି ଶୃଙ୍ଖଳା ସହ ସମାପନ

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସିର ୧୩ ଗୋଟି ୱାର୍ଡର ୧୭ଟି ମତଦାନ କେନ୍ଦ୍ରରେ ଜଣେ ଅଧ୍ୟକ୍ଷ ଏବଂ ୧୩ଟି କାଉନସିଲର ପଦବି ପାଇଁ ଗୁରୁବାର ସକାଳ ୮ଟାରୁ ୫ ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି।

ବାଲିଗୁଡା ଏନ୍‌ଏସିର ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ଏବଂ ୧୩ଟି କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି। ସମସ୍ତ ୧୭ଟି କେନ୍ଦ୍ରରେ ଧାଡିରେ ଶୃଙ୍ଖଳାର ସହିତ ମତଦାନ ହୋଇଥିବା ଦେଖିବାକୁ ମିଳିଛି। ଭୋଟରମାନେ ଏଥର ଉତ୍ସାହର ସହ ପ୍ରଥମ ଥର ପାଇଁ ଏକା ଥରକେ ଦୁଇଟି ଇଭିଏମ୍ ମେସିନ ରେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତଦାନ କରିଛନ୍ତି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଙ୍କ୍‍ ବୁଥ ସଞ୍ଚାଳିତ ହୋଇଥିଲା।

ଅପରାହ୍ନ ୫ ଘଟିକା ସୁଦ୍ଧା ସମସ୍ତ ୧୭ ଗୋଟି କେନ୍ଦ୍ରରେ ମୋଟ ୫୦୭୬ ଜଣ ପୁରୁଷ ଏବଂ ୫୦୭୯ ଜଣ ମହିଳାଙ୍କୁ ମିଶାଇ ସର୍ବମୋଟ ୧୦ ହଜାର ୧୫୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବାଲିଗୁଡା ଏନ୍‌ଏସିରେ ମତଦାନ ହାର ୬୯.୦୭% ରହିଛି। ସମସ୍ତ ଉତ୍ତେଜନା ଓ ଅତି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ସେକ୍ଟର ଅଫିସର ପ୍ରତି ୨ ଘଣ୍ଟା ଅନ୍ତରରେ ମତଦାନର ସ୍ଥିତି ଅନୁଧ୍ୟାନ କରିଥିଲେ।

ନିର୍ବାଚନ ଅଧିକାରୀ ତଥା ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା। ୫ଟା ପରେ କଡା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟି ସ୍ଥାନୀୟ ଷ୍ଟ୍ରଙ୍ଗରୁମ୍‍ ନିକଟରେ ପହଞ୍ଚି ଇଭିଏମ୍‍ ମେସିନ ସହ ସମସ୍ତ ସରଞ୍ଜାମ ପୈଠ କରିଛନ୍ତି। ଗୋଟିଏ ଅଧ୍ୟକ୍ଷ ପଦ ଓ ୧୩ଟି କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ମୁଦ ରହିଥିବା ଜଣାପଡିଛି। ଆସନ୍ତା ୨୬ ତାରିଖ ଦିନ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି।