ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ଭଲିବଲକୁ ଆଗକୁ ନେବାକୁ ହେଲେ ରାଜ୍ୟରେ ବଡ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ସହ ଟିମ୍ ଓ ଖେଳାଳିମାନଙ୍କର ପ୍ରାୟୋଜକଙ୍କ ଆବଶ୍ୟକତା ନିହାତି ଜରୁରୀ। ଏହା ସହ ଖେଳାଳିଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆଯାଇ ପାରିଲେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଭାବ ବିସ୍ତାର କରିିବ ବୋଲିି ଓଡ଼ିଶାର ପ୍ରଥମ ଇଣ୍ଟରନ୍ୟାସନାଲ ଭଲିବଲ ଖେଳାଳି ତଥା ଓଡ଼ିଶା ଦଳର କୋଚ ମହମ୍ମଦ୍ ଏମ୍ ଜମା କହନ୍ତି। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ସେମାନଙ୍କୁ ଉନ୍ନତ ଓ ଦକ୍ଷ ଖେଳାଳିରେ ପରିଣତ କରିବାକୁ ହେଲେ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରି ଅତ୍ୟାଧୁନିକ ପ୍ରଶିକ୍ଷଣର ନିହାତି ଆବଶ୍ୟକତା ରହିଛି।
ଗତ କିଛିବର୍ଷ ଧରି ଭଲିବଲ ପ୍ରତି ଖେଳାଳିମାନେ ବିମୁଖ ହୋଇପଡ଼ିଛନ୍ତି। ସେମାନେ ମୁଖ୍ୟତଃ ଭଲ କ୍ୟାରିୟର ପ୍ରତି ଆଗ୍ରହୀ ହେଉଥିବାରୁ ଭଲିବଲକୁ ଭଲ ପ୍ରତିଭା ଆସୁନାହାନ୍ତି। ସେମାନଙ୍କୁ ଭଲ କ୍ୟାରିୟର ସହ ଆର୍ଥିକ ପ୍ରୋତ୍ସାହନ ସହ ଯୋଗାଇବା ଉପରେ ଜାମା ଗୁରୁତ୍ୱ ଦେଇଛନ୍ତି। ଜମାଙ୍କ ପରେ ଆଉ କୌଣସି ପୁରୁଷ ଖେଳାଳି ଭାରତୀୟ ସିନିୟର ଦଳକୁ ପ୍ରତିନିଧିତ୍ୱ କରିପାରି ନାହାନ୍ତି। ଲୋତକବିନ୍ଦୁ ଦାଶ ଜୁନିୟର, ଝିଲିଲତା ସେଣ ସିନିୟରରେ ଏବଂ ରବିନ୍ଦ୍ର ମୁରୁଡି ୟୁଥ୍ ଇଣ୍ଡିଆ ଟିମ୍କୁ ପ୍ରତିନିଧିତ୍ୱ କରିଛନ୍ତି। ଏମାନଙ୍କ ପରେ ଆଉ ଦୁଇ ଜଣ ବାଳିକା ଖେଳାଳି ମୋନାଲିସା ପାତ୍ର ଓ ସଙ୍ଗିତା ଟପ୍ପୋ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବା ପରେ ଓଡ଼ିଶାରୁ ଆଉ କେହି ଏହି ସୁଯୋଗ ପାଇନାହାନ୍ତି।
- ଓଡ଼ିଶାରେ ପ୍ରଥମଥର ସିନିୟର ନ୍ୟାସନାଲ
କିଟ୍ ପରିସରରେ ଆସନ୍ତା ୨୫ରୁ ଜାନୁଆରୀ ୨ ତାରିଖ ଯାଏ ୬୮ତମ ସିନିୟର ଭଲିବଲ ନ୍ୟାସନାଲ ଚାମ୍ପିଅନଶିପ୍ ଅନୁଷ୍ଠିତ ହେବ। ଏଥିରେ ୩୦ଟି (ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସାଂଗଠନିକ) ଟିମ୍ ଅଂଶଗ୍ରହଣ କରିବେ। ଭାରତବର୍ଷରେ ପ୍ରଥମଥର ଏହି ଚାମ୍ପିଅନଶିପ୍ ଇଣ୍ଡୋର ଷ୍ଟାଡିୟମ୍ ଖେଳାଯିବ। ଏହା ମଧ୍ୟ ଓଡ଼ିଶାରେ ପ୍ରଥମ ସିନିୟର ନ୍ୟାସନାଲ ଭଲିବଲ। ଏହାପୂର୍ବରୁ କିଟ୍ ୨୦୧୯ରେ ସବଜୁନିୟର ନ୍ୟାସନାଲ ଏବଂ ୨୦୦୯ରେ ଜୁନିୟର ନ୍ୟାସନାଲ ଚାମ୍ପିଅନଶିପ୍ ଆୟୋଜିତ ହୋଇଛି।
ଏହାକୁ ସଫଳତାର ସହ ଆୟୋଜକ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଭଲିବଲ ଆସୋସିଏସନ। ଏହାର ସଭାପତି ସୁବୋଧ ରାଉତରାୟ, କାର୍ଯ୍ୟକାରୀ ସଭାପତି ସଞ୍ଜୟ ଦାସ୍, ସମ୍ପାଦକ ତଥା ଅର୍ଗାନାଇଜିଂ ସେକ୍ରେଟାରୀ ଗଗନେନ୍ଦୁ ଦାସ୍ ଓ ସଂଯୋଜକ ନୀଲକମଲ ରାୟ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି। ଚାମ୍ପିଅନଶିପର ସଫଳତା ଓ ଖେଳାଳିମାନଙ୍କୁ ଉନ୍ନତ ପ୍ରଦର୍ଶନ ଲାଗି କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମସ୍ତଙ୍କର ଶୁଭକାମନା ଜଣାଇଛନ୍ତି। ଏଥିରେ ୨୦୦ ଇଣ୍ଟରନ୍ୟାସନାଲ ଖେଳାଳିଙ୍କ ସମେତ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ରାୟ ପ୍ରକାଶ କରିଛନ୍ତି।
- ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ କ୍ୱାର୍ଟର ଫାଇନାଲ