ଝାରସୁଗୁଡ଼ା ଉପକାରାଗାରରେ ୬୮ ଅନ୍ତେବାସୀଙ୍କୁ କରୋନା

ଝାରସୁଗୁଡା଼,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଉପକାରାଗାରରେ ୬୮ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭି ଚିହ୍ନଟ ହୋଇଥିବା ଅନ୍ତେବାସୀଙ୍କୁ ଜେଲ ଭିତରେ ତିଆରି ହୋଇଥିବା ୨ଟି ଆଇସୋଲେସନ ୱାର୍ଡରେ ରଖାଯାଇଛି। ଏହି ଆକ୍ରାନ୍ତଙ୍କୁ ବର୍ତ୍ତମାନ ଜେଲରେ ହିଁ  ଚିକତ୍ସା ସେବା ପ୍ରଦାନ କରାଯିବା ସହ ଆବଶ୍ୟକ ପଡ଼ିଲେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଜେଲର ଦେବେନ୍ଦ୍ର ଥାଏଟ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଉପକାରାଗାରରେ ଥିବା ମୋଟ ୨୮୨ଜଣ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୨୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୫୪୭କୁ ବୃଦ୍ଧି ପାଇଥିବାବେଳେ ୧୫ ହଜାର ୪୪୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୦୫୦ଜଣ ସକ୍ରିୟ ଥିବାବେଳେ ୯୫ ହଜାର ୫୦୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।