କୋରାପୁଟ,ଏନ୍ଏନ୍୍ଏସ୍: କୋରାପୁଟ ଜିଲ୍ଲାରେ ୬୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୪କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସ୍ଥାନୀୟ ସଂକ୍ରମଣ ଓ ୬୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୨ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ୩ଜଣ ପୁଲିସ ରହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ସହ ଲୋକଙ୍କ ମଧ୍ୟରେ ଟେଷ୍ଟିଂ ନିମନ୍ତେ ସଚେତନତା ସୃଷ୍ଟି କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜନ ସଚେତନତା ସୃଷ୍ଟି ପାଇଁ ସରକାରୀ କର୍ମଚାରୀ ଓ ନିର୍ବାଚିତ ଲୋକ ପ୍ରତିନିଧି ଆଗେଇ ଆସିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିବା ସହ ସଂକ୍ରମଣ ରୋକିବାରେ ପ୍ରଶାସନକୁ ସହାୟତା କରିବାକୁ ନିବେଦନ କରିଛନ୍ତି। ଘରେ ରହିବାର ସମସ୍ତ ସୁବିଧା ଥିଲେ ଯେକୌଣସି ସଂକ୍ରମିତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। ରାଜ୍ୟ ସରକାରଙ୍କ ଯୋଜନା ମୂତାବକ ଅଗଷ୍ଟ ଶେଷ ସୁଦ୍ଧା ଦୈନିକ ୩୫୦୦ ସ୍ୱାବ୍ ଟେଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି। ତେଣୁ ଜନସାଧାରଣ ସ୍ୱଇଛାରେ ଟେଷ୍ଟିଂ ସେଣ୍ଟରକୁ ଯାଇ ଶାନ୍ତି ଶୃଙ୍ଖଳାର ସହ ସ୍ୱାବ୍ ପରୀକ୍ଷା କରାଇବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।