କୋଭିଡ ପରିଚାଳନା ବୈଠକ, ଜିଲ୍ଲାରେ ସୁସ୍ଥହାର ୬୬ %

ରାୟଗଡ଼ା,ଏନ୍ଏନ୍ଏସ୍: କୋଭିଡ ୧୯ ପରିଚାଳନା ନେଇ ପ୍ରଶାସନ ତରଫରୁ ଆଜି ଏକ ଗୁୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ଇଂ ସପ୍ତଗିରି ଉଲ୍ଲାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ଅମୃତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ପୌରପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ଉପସ୍ଥିତ ଥିଲେ।

ବୈଠକରେ କୋଭିଡ ୧୯ ସମ୍ପର୍କରେ ଆଲୋଚନା ହୋଇଥିଲେ। ଜିଲ୍ଲାରେ କୋଭିଡ-୧୯ କିପରି ଭାବେ ପରିଚାଳନା ହେଉଛି ସେନେଇ କୋଭିଡ ନୋଡାଲ ଅଧିକାରୀ ଅମୃତ ଋତୁରାଜ ବିବରଣୀ ଉପସ୍ଥାପନା କରିଥିଲେ। ବର୍ତ୍ତମାନ ଜିଲ୍ଲାରେ କରୋନା ସୁସ୍ଥ ହାର ୬୬ ପ୍ରତିଶତ ଥିବାବେଳେ ୩୪ ପ୍ରତିଶତ ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁହାର ୧ ପ୍ରତିଶତ ରହିଛି। କରୋନା ରୋଗୀ ଚିହ୍ନଟ ପାଇଁ ବର୍ତ୍ତମାନ ମୋବାଇଲ ଭ୍ୟାନ ମାଧ୍ୟମରେ ରାପିଡ୍ ଆଣ୍ଟିଜେନ ଟେଷ୍ଟିଂ ଯୋଜନା ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳ ନିମନ୍ତେ ୨୭ଟି ସ୍ୱାବ ସଂଗ୍ରହ ଟିମ ଗଠନ କରାଯାଇଥିବାବେଳେ ରାୟଗଡା ଏବଂ ଗୁଣପୁର ନିମନ୍ତେ ୪ଟି ସ୍ୱାବ ସଂଗ୍ରହ ଟିମ ଗଠନ କରାଯାଇଛି।

ଏହି ଟିମ ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଥର୍ମାଲ ଏବଂ ରାପିଡ ଆଣ୍ଟିଜେନ କିଟ୍ ମାଧ୍ୟମରେ କରୋନା ନମୁନା ଯାଞ୍ଚ କରିବେ। ବର୍ତ୍ତମାନ ଗୃହ ସଂଗରୋଧ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସାମାନ୍ୟ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥାଇ ଚିହ୍ନଟ ହୋଇଥିବା ପଜିଟିଭଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ଅନୁମତି ପ୍ରଦାନ କରାଯିବ। ଅନ୍ୟପଟେ କୋରାପୁଟ ସାଂସଦ ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତିମାନେ ଯେପରି କୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବେ ସେ ନେଇ ମତବ୍ୟକ୍ତ କରିଥିଲେ। ଏଥିସହିତ ପଡୋଶୀ ରାଜ୍ୟ ଏବଂ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତିମାନଙ୍କୁ ପୁଣିଥରେ କୋଭିଡ ଟେଷ୍ଟିଂ କରିବା ପାଇଁ ସାଂସଦ ପରାମର୍ଶ ଦେଇଥିଲେ।