ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ସମୟରେ ଜିଲ୍ଲାରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ମଦ ମାଫିଆମାନେ ବେଆଇନ ଭାବରେ ମଦ ଚାଲାଣ କରି ବିକ୍ରି କରୁଛନ୍ତି। ଏହି ମଦ ଚାଲାଣକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଗତକାଲି ରାତିରେ ୨ଜଣ ଅଭିଯୁକ୍ତ ସ୍କୁଟିରେ ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ୪୫ ଲିଟର ମହୁଲି ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଯୁବକମାନେ ସୁଶାନ୍ତ ମହାନନ୍ଦ ଓ ଜାଗ ମୋହନ ବୁଡା ବୋଲି ଜଣାପଡିଛି। ଏନେଇ ଝାରସୁଗୁଡା ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ଏକ ମୋଟର ସାଇକେଲରେ ଚାଲାଣ ହେଉଥିବା ୨୦ଲିଟର ମଦ ଓ ମୋଟରସାଇକେଲକୁ ପୁଲିସ ଜବତ କରିଛି। ତେବେ ଅଭିଯୁକ୍ତ ଜଣକ ପୁଲିସକୁ ଦେଖି ବାଇକ ଛାଡି ଫେରାର ହୋଇଯାଇଥିବା ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା କହିଛନ୍ତି। ସେ କହିଛନ୍ତି ପୁଲିସ ଏନେଇ ବଡ଼ମାଲ ଥାନାରେ କେସ୍ ନଂ-୬୯/୨୦ ରେ ଏକ ମାମଲା ରୁଜୁ କରି ଗାଡିମାଲିକ ଖୋଜୁଛି। ଗାଡି ମାଲିକ ମିଲିଲା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯିବ।