କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଚୋରା ମଦ କାରବାର ରୋକିବାକୁ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬୪ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ମାଣ୍ଡିଙ୍ଗା, ଦୈତାରୀ ପାଙ୍ଗୀ, ମୈନା ମଣି, ଜାମି ଖରା ଓ ତୁଳସା ହନ୍ତାଳି। ଏନେଇ କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ନନ୍ଦପୁର ଅବକାରୀ ଓଆଇସି ତ୍ରିନାଥ ଚିନ୍ତାଡ଼ାଙ୍କ ନେତୃତ୍ୱରେ ମାଛକୁଣ୍ଡ ଓ ନନ୍ଦପୁର ଥାନା ଅଧୀନ ଜଡ଼ଲାପୁଟ, ହିକିମପୁଟ ଓ ଭାଲିଆପୁଟ ଗ୍ରାମରେ ଚଢ଼ଉ କରାଯାଇ ୪୯ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚଢ଼ଉରେ ଏଏସଆଇ ପ୍ରତିମା ବେହେରା, ସଞ୍ଜୟ ପ୍ରଧାନ, ସିପାହୀ ଦେବେନ୍ଦ୍ର ଖରା, ଅମରନାଥ ବିଷୋୟୀ ଓ ଗୀତାଞ୍ଜଳି ଦଳପତି ସାମିଲ ହୋଇଥିଲେ।
ସେହିପରି କୋରାପୁଟ ଟାଉନ୍ ଥାନା ରେଲିକୁମ୍ଭା ଗ୍ରାମରେ ଚଢ଼ଉ କରାଯାଇ ମଣି ଯାନୀ ନିକଟରୁ ୧୫ଲିଟର ଦେଶୀ ମଦ ଜବତ କରାଯିବା ସହ ମଣିକୁ ଗିରଫ କରାଯାଇଥିବା ସଦର ଅବକାରୀ ଓଆଇସି ଦିଲ୍ଲୀପ କୁମାର ରଥ ସୂଚନା ଦେଇଛନ୍ତି। ସଦର ଅବକାରୀ ଏଏସଆଇ ଅରୋପଲକ ଦାଶଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ କନେଷ୍ଟବଳ ପ୍ରଶାନ୍ତ ନାୟକ, ରାମ ଗୌଡ଼, ଭେଙ୍କେଟ କୁମାର ଓ ସବିତା ପୂଜାରୀ ସାମିଲ ହୋଇଥିଲେ।