ଦୀର୍ଘ ୬୦ ବର୍ଷର ପରମ୍ପରା ଭାଙ୍ଗିଲା ପାଟଣାଗଡ ଏନଏସି, ପାଟଣାଗଡରେ ସ୍ୱାୟତ୍ତ ଶାସନ ଦିବସ ପାଳନ ନୋହିଲା !

ଅଧ୍ୟକ୍ଷା, ଉପାଧ୍ୟକ୍ଷ ତଥା କୌଣସି କାଉନସିଲର ଆସିଲେ ନାହିଁ

ପାଟଣାଗଡ,ଏନ୍ଏନ୍ଏସ୍: ଆଜି ପାଳିତ ହୋବକୁ ଥିବା ସ୍ୱାୟତ୍ତ ଶାସନ ଦିବସ ସମାରୋହ ପାଇଁ ନିମନ୍ତ୍ରଣ କାର୍ଡ ଛପାଇ ବଣ୍ଟାଗଲା । ଏନଏସି ପରିସର ମଧ୍ୟରେ ଟେଣ୍ଟ ପ୍ରସ୍ତୁତ ହେବା ସହ ବିଭିନ୍ନ ସ୍ଥାନରେ ତୋରଣ ମଧ୍ୟ ମରା ହେଲା । ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟ ସଚେତକ ସରୋଜ କୁମାର ମେହେରଙ୍କୁ ମୁଖ୍ୟ ଅତିଥି, ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଏବଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ମାନିତ ଅତିଥି ଭାବରେ ନିମନ୍ତ୍ରିତ କରାଗଲା । ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରଣ କରଗଲା । ତେବେ ହଠାତ୍ ସବୁ କିଛି କାର୍ଯ୍ୟକ୍ରମ ବାତିଲ କରାଗଲା ।

ନିର୍ଦ୍ଧାରିତ ସମୟରେ ବିଭିନ୍ନ ନିମନ୍ତ୍ରୀତ ଅତିଥି, ସଚେତନ ନାଗରିକ, ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ସଭାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସବୁ କିଛି ଶୂନ୍‌ଶାନ୍ ଥିବା ଦେଖି ଫେରି ଯାଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ତାଙ୍କ ସହକର୍ମୀ, କାଉନସିଲର, ଉପାଧ୍ୟକ୍ଷ କିମ୍ବା ଅଧ୍ୟକ୍ଷା କେହି ଉପସ୍ଥିତ ନ ଥିଲେ କାର୍ଯ୍ୟାଳୟ ପରିସର ମଧ୍ୟରେ । ବୁଝାବୁଝି କରିବା ପରେ ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି କହନ୍ତ ବାତିଲ କରି ଦେଇଥିବା ଜଣା ପଡିଥିଲା । ବାତିଲ କରାଯିବା କାରଣ କିନ୍ତୁ ସ୍ପଷ୍ଟ ହୋଇପାରିଲା ନାହିଁ ।

ବାରମ୍ବାର କାର୍ଯ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ କେହି ଫୋନ ଉଠାଉ ନାହାନ୍ତି । ତେବେ କେତେକ ଠିକା କାମର ବିଲ୍‌କୁ ନେଇ ଗତକାଲି ରାତିରେ କନିଷ୍ଠ ଯନ୍ତ୍ରୀ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ କେତେକ କାଉନସିଲରଙ୍କ ତୁ ତୁ ମେଁ ମେଁ ହୋଇଥିବା ଆଲୋଚନା ଜୋର ଧରିବାରେ ଲାଗିଛି । ନୂଆଁଖାଇ ପୂର୍ବରୁ ଉକ୍ତ କାମମାନଙ୍କର ବିଲ ହୋଇ ନ ଥିବା ଯୋଗୁଁ କୁଆଡେ କାଉନସିଲର ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଆଜି ସକାଳୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ କୌଣସି କାଉନସିଲର ନ ଆସିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପତାକା ଉତ୍ତୋଳନ କରିବା ସହ ଅପରାହ୍ଣର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ତାଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ତେବେ ପାଟଣାଗଡ ଏନଏସି ଗଠନ ହେବା ପରେ କେବେ ବନ୍ଦ ହୋଇନଥିବା ଏହି ସମାରୋହ ଚଳିତ ବର୍ଷ ବନ୍ଦ ହୋଇଯାଇଥିବାରୁ ଏନଏସି କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀ, ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।