ଭିନ୍ନକ୍ଷମଙ୍କୁ ବିବାହ ନିମନ୍ତେ ଉପହାର ପାଇଁ ପ୍ରୋତ୍ସାହନ ରାଶିପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: କୌଣସି ପରିବାରରେ ଭିନ୍ନକ୍ଷମ ସଦସ୍ୟ ଥିଲେ ଉକ୍ତ ପରିବାରର ମୁଖିଆଙ୍କ ମୁଣ୍ଡରେ ଭିନ୍ନକ୍ଷମ ସଦସ୍ୟଙ୍କ ବିବାହ ଚିନ୍ତା ନେଇ ସମ୍ପୃକ୍ତ ପରିବାର ନାନା ଆଶଙ୍କା ଦେଇ ଗତି କରିବା ସହ ଅନେକ କ୍ଷେତ୍ରରେ ଭିନ୍ନକ୍ଷମ ସଦସ୍ୟଙ୍କ ବିବାହ କରିବାରେ ଅସମର୍ଥ ରହୁଥିଲେ।

ସେହିପରି କୌଣସି ଗରିବ ପରିବାରରେ ଭିନ୍ନକ୍ଷମ କନ୍ୟା ସନ୍ତାନ ରହିଥିଲେ ଭିନ୍ନକ୍ଷମ କନ୍ୟାଙ୍କ ବିବାହ ପାଇଁ ଯୌତୁକ ଏବଂ ବିବାହ ଖର୍ଚ୍ଚ ବହନ କରିବା କଷ୍ଟ ସାଧ୍ୟ ହୋଇଥାଏ। ଏହି ସବୁ କ୍ଷେତ୍ରକୁ ଧ୍ୟାନ ଦେଇ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ବିବାହ ପାଇଁ ଉପହାର ପ୍ରଦାନ ନିମନ୍ତେ ଏକ ବିଶେଷ ଯୋଜନା କାର୍ଯ୍ୟକାରୀ କରିବା ସହ ଭିନ୍ନକ୍ଷମଙ୍କୁ ବିବାହ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଜନା ପ୍ରଣୟନ କରିଛନ୍ତି।

ଏହି ଯୋଜନା ଅନୁଯାୟୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଜଣେ ସକ୍ଷମ କିମ୍ବା ଭିନ୍ନକ୍ଷମକୁ ବିବାହ କଲେ ଏକକାଳୀନ ୫୦ ହଜାର ଟଙ୍କା ପ୍ରୋତ୍ସାହ୍ନ ରାଶି ଦେବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୭ଜଣ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି ପ୍ରୋତ୍ସାହନ ରାଶି ତିଲେଇବଣି ବ୍ଲକରୁ ୨ଜଣ ଏବଂ ବାରକୋଟ ବ୍ଲକରୁ ୫ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର ନଇ ସୂଚନା ଦେଇଛନ୍ତି। ବିଗତ ଆର୍ଥିକ ବର୍ଷରେ ମଧ୍ୟ ଜିଲ୍ଲାରେ ଏହି ଯୋଜନାରେ ୬ଜଣ ଦମ୍ପତି ଉପକୃତ ହୋଇଥିବା ସେ ପ୍ରକାଶ କରିଛନ୍ତି।