୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ : ଅଭିଯୁକ୍ତକୁ ଧରିବାକୁ ପୁଲିସର ତନାଘନା

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅଞ୍ଚଳରେ ଆଜି ଏକ ଲଜ୍ୱ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଦେବଗଡ଼ ଥାନା ଡଙ୍ଗପାଳ ଧାତିକିଢିପା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ କୃଷ୍ଣଗୁରୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୬ ବର୍ଷୀୟା ଶିଶୁ କନ୍ୟା ଅନ୍ୟ କେତେକ ଶିଶୁଙ୍କ ସହ ଘର ବାହାରେ ଖେଳୁଥିଲା । ଏହି ସମୟରେ ଉକ୍ତ ଗ୍ରାମର ସୁଶାନ୍ତ ଠାକୁର (୨୧) ଶିଶୁ କନ୍ୟାକୁ ନିକଟସ୍ଥ ଏକ ପାଇଖାନା ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲା।

ଘଟଣା ସମ୍ପର୍କରେ ଅନ୍ୟ କେତେକ ଶିଶୁ ପୀଡିତାଙ୍କ ମାଆଙ୍କୁ ଜଣାଇାବାରୁ ପୀଡିତାଙ୍କ ମାଆ ଘଟଣାସ୍ଥଳକୁ ଆସିବା ବେଳକୁ ଶିଶୁ କନ୍ୟା ଟି କାନ୍ଦିକାନ୍ଦି ଘଟଣା ସମ୍ପର୍କରେ କହିଥିଲା। ପ୍ରାଥମିକ ଚିକିତ୍ସା ଓ ପରିବାର ଲୋକଙ୍କ ସହ ଆଲୋଚନା ପରେ ଆଜି ପୀଡିତା ଙ୍କ ମାଆ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ସୁଶାନ୍ତ ବିରୋଧରେ ଦୁଷ୍କର୍ମ ଓ ପୋକ୍ସ ଦଫାରେ ଏକ ମାମଲା ରୁଜୁ କରିଛି। ଏହାସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ କରିଥିବା ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି।