କୋଭିଡ କଟକଣା ନମାନି ଦୋକାନ ଖୋଲି ତଣ୍ଡ ଗଣିଲେ ୬ ଦୋକାନୀ

ପାଟଣା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଚେନକୁ ବ୍ରେକ ଦେବା ପାଇଁ ସରକାର ଲକଡାଉନ ସାଙ୍ଗକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି। ଆଗକୁ ରଜପର୍ବ ଆସୁଥିବାରୁ ଲୋକଙ୍କ ଗହଳି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ କିଛି ଅମାନିଆ ଦୋକାନୀ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଦୋକାନ ଖୋଲୁଛନ୍ତି। ରଜ ପର୍ବରେ ବେପାର କରିବା ପାଇଁ ନିୟମ ଭଙ୍ଗ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗରପଡା ଛକ ଉପରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଚଢ଼ଉ କରିଥିଲେ।

ଏହି ସମୟରେ ଗୋଟିଏ ଲୁଗା ଦୋକାନ ଓ ୫ ଟି ଗ୍ରୋସରି ଦୋକାନରୁ ୬ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ପାଟଣା ବ୍ଲକ ଅଞ୍ଚଳରେ ଅମାନିଆ ଦୋକାନୀ ମାନେ ଦୋକାନ ଖୋଲୁଥିଲେ ସୁଦ୍ଧା ପ୍ରଶାସନ ଦୋକାନକୁ ସିଲ ନକରି କେବଳ ଜୋରିମାନା ଆଦାୟ କରୁଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଦେଖାଯାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।