ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଶିକାର ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ଏବଂ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ନବଜାତ ଶିଶୁ ପୁତ୍ରକୁ ୫ ହଜାର ଟଙ୍କାରେ ବିକ୍ରି କରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ସମ୍ପୃକ୍ତ ମଧ୍ୟସ୍ଥି ଓ ଶିଶୁ ପୁତ୍ରକୁ କିଣିଥିବା ଦମ୍ପତି ଓ ତାଙ୍କ ପରିବାରର ସଦସ୍ୟ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ବିକ୍ରି ହୋଇଥିବା ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନାଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ନିଜ ଗ୍ରାମର ଜଣେ ଯୁବକଙ୍କ ଦ୍ୱାରା ଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଯୁବକର ମୃତ୍ୟୁ ଘଟିଥିଲା। ନାବାଳିକା ଜଣକ ଗତ ୨୭ ତାରିଖ ଦିନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେହିପରି ୨୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ।
ନାବାଳିକାର ଏଭଳି ପରିସ୍ଥିତିର ସୁଯୋଗ ନେଇ ନାବାଳିକା ସହ ପୂର୍ବରୁ ପରିଚିତ ଥିବା ସୁନ୍ଦରଗଡ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବାହାରିଗଡର ବସନ୍ତ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ମୁଣ୍ଡା ନାବାଳିକଙ୍କ ଠାରୁ ୫ ହଜାର ଟଙ୍କା ବଦଳରେ ଶିଶୁ ପୁତ୍ର ଟିକୁ ନେଇ ଲହୁଣିପଡା ଥାନା ଅନ୍ତର୍ଗତ ଲଲେଇ ଗ୍ରାମର ଗୁଣନିଧି ସାହୁ ଓ ତାଙ୍କ ମାଁ ଗୋଦବରୀ ସାହୁଙ୍କ ସହାୟତାରେ ଟେନସା ଖଣି ଅଞ୍ଚଳରେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ପଣ୍ଡ୍ରାଶୀଳ ଗ୍ରାମର ଅଟଳ ବିହାରୀ ଭୋଳ ଓ ତାଙ୍କ ସ୍ତ୍ରୀ ଲଳିତା ଭୋଳ ଙ୍କୁ ବିକ୍ରି କରିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଠାରୁ ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଗତ ୩ ତାରିଖ ଦିନ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ପୋକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗତକାଲି ଘଟଣାରେ ସମ୍ପୃକ୍ତ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିବା ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।