ଅଜଣା ରୋଗ ଯୋଗୁଁ ଗାଁରେ କୋକୁଆ ଭୟ, ଆଉ ୬ ଆକ୍ରାନ୍ତ: ମାଲକାନଗିରିରୁ ଗଲେ ଡାକ୍ତରୀ ଦଳ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ଏମ.ଭି-୭୫ ଗ୍ରାମରେ ଗତ କିଛି ଦିନ ଧରି ଅଜଣାରୋଗ ବ୍ୟାପୁଥିବାରୁ ସୋମବାର ମାଲକାନଗିରିରୁ ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚିଛନ୍ତି। ଗତ ସୋମବାର ଦିନ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ସୋମବାର ପୁଣି ୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ରବିବାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିିକିତ୍ସା ଅଧିକାରୀ ଏମ.ଏମ ହୁସେନଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଦଳ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିବା ପରେ ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟୀ ଭେଷଜ ବିଶେଷଜ୍ଞ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଚିକିତ୍ସା ଦଳ ଗ୍ରାମରେ ପହଂଚି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି।

ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ରକ୍ତ ନୂମନା ସଂଗ୍ରହ କରାଯାଇ ଔଷଧ ବିତରଣ କରାଯାଉଛି। ଗତ ସୋମବାର ଦିନ ଏହି ଅଜଣା ରୋଗରେ ଗ୍ରାମର ଶଙ୍କର ନନ୍ଦୀଙ୍କ ପୁତ୍ର ସୁଦୀପ୍ତ ନନ୍ଦୀ (୧୬) ଆକ୍ରାନ୍ତ ହୋଇ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହେବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ପ୍ରତ୍ୟେକ ଦିନ ପ୍ରାୟ ୫ ରୁ ୬ ଜଣଙ୍କୁ ଏହି ରୋଗ ଦେଖାଦେବା ସହ ଆଖିଠାରୁ ପାଦ ପର୍ଯ୍ୟନ୍ତ ଜଳାପୋଡା ହେଉଛି। ବିଶେଷ କରି ଏହି ଅଜଣା ରୋଗ ମହିଳମାନଙ୍କୁ ହେଉଥିବା ଜଣାପଡ଼ିଛି।