ରାଜଧାନୀରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ,୧୯ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରେଣ୍ଟାଇନ ଓ ୩ଜଣ ସ୍ଥାନୀୟ ରହିଛନ୍ତି। ଏଥିସହିତ ୧୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଡୁମଡୁମାର ଜଣେ ଯୁବକ ରହିଛନ୍ତି ଯାହାଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। କୋଲକାତାରୁ ଫେରିଥିବା ନୟାପଲ୍ଲୀ ଅଂଚଳର ଓ ବାପୁଜୀ ନଗରର ଜଣେ ଲେଖାଏଁ ପୁରୁଷ ରହିଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, ଫରେଷ୍ଟ ପାର୍କର ଜଣେ ପୁରୁଷ ଓ ଟଙ୍କପାଣି ରୋଡର ଜଣେ ପୁରୁଷ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ଆଜି ସୁସ୍ଥ ହୋଇଥିବା ୧୯ ଜଣଙ୍କ ମଧ୍ୟରେ ନୟାପଲ୍ଲୀ ଅଂଚଳରୁ ୨ଜଣ, ସହିଦନଗରରୁ ଜଣେ, ମଂଚେଶ୍ୱରରୁ ୩ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ଓ ଡୁମଡୁମାସ୍ଥିତ ସୁବାସ ନଗର ବସ୍ତିରୁ ୫ଜଣ ରହିଛନ୍ତି। ସେହିପରି ପଟିଆରୁ ୨ଜଣ, ଡୁମଡୁମାରୁ ଜଣେ, ସୈନିକ ସ୍କୁଲ ଅଂଚଳରୁ ଜଣେ, ଅନ୍ୟ ଜିଲ୍ଲାର ଜଣେ ବାସିନ୍ଦାଙ୍କ ସମେତ ୨ଜଣ ରେଳ କର୍ମଚାରୀ ରହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏଯାବତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ରେ ପହଂଚିଥିବା ବେଳେ ୧୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୨ଜଣ ଚିକିତ୍ସାଧୀନ ଅଛନ୍ତି।