ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ୬ମାସ ଜେଲଦଣ୍ଡ

ବାଲିଗୁଡା,ଏନ୍ଏନ୍ଏସ୍ ଜଣେ ଦିନ ମଜୁରିଆ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାର କରି ବାଲିଗୁଡା ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ ଅଭିଯୁକ୍ତ ବିରୁପାକ୍ଷ ଦଣ୍ଡିଆଙ୍କୁ ୬ମାସ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୦୩ ମସିହାରେ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଗ୍ରାମର ବିରୁପାକ୍ଷ ଦଣ୍ଡିଆ ଉକ୍ତ ଗ୍ରାମର ଜଣେ ଦିନ ମଜୁରିଆ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସାରଙ୍ଗଗଡ ଥାନାରେ ଯୁବତୀର ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ ଅଭିଯୁକ୍ତ ବିରୁପାକ୍ଷକୁ ଦୋଷୀ ସାବ୍ୟସ୍ତ କରି ୬ମାସ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ ଓକିଲ ଅବନୀ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।