ଓଡ଼ିଶାର ୬ ନିଖୋଜ ଶିଶୁ ଝାଡ଼ଖଣ୍ଡରୁ ଉଦ୍ଧାର

ଭବାନୀପାଟଣା,୨୫।୮/ ଏନ୍ଏନ୍ଏଏସ୍: ଓଡ଼ିଶାରୁ ନିଖୋଜ ହୋଇଥିବା ଶିଶୁଙ୍କୁ ଖୋଜି ଉଦ୍ଧାର କରି ପୁନଃ ଓଡ଼ିଶାକୁ ଫେରାଇ ଆଣିବାକୁ ପରୀ-୩ ଅଭିଯାନରେ ଓଡ଼ିଶାରୁ ୮ଟି ଟିମ୍ ରାଜ୍ୟ ବାହାରକୁ ଗସ୍ତ କରିଛନ୍ତି । ପ୍ରତ୍ୟେକ ପରୀ- ୩ ଟିମ୍ରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଏବଂ ପୁଲିସ୍ ବିଭାଗର ୯ଜଣ କର୍ମକର୍ତ୍ତା ଅଛନ୍ତି । ଏହି ୮ଟି ଟିମ୍ ମଧ୍ୟରୁ କଳାହାଣ୍ଡିରୁ ଯାଇଥିବା ଗୋଟିଏ ପରୀ-୩ ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡକୁ ଗସ୍ତ କରିଥିବା ଓଡ଼ିଶାର ୬ଜଣ ନିଖୋଜ ଥିବା ଶିଶୁଙ୍କୁ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଠାବ କରିଛି । ଏହି ୬ ଜଣ ଶିଶୁମାନଙ୍କ ମଧ୍ୟରେ ମୟୁରଭଞ୍ଜରୁ ଜଣେ, ଖୋର୍ଦ୍ଧାରୁ ୧, ଭଦ୍ରକରୁ ୨ ଜଣ ଏବଂ କେନ୍ଦୁଝର ଓ ସୁନ୍ଦରଗଡ଼ରରୁ ଜଣେ ଲେଖାଏଁ ଶିଶୁ ଅଛନ୍ତି । ଏହି ସମସ୍ତ ଶିଶୁକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି, ଝାଡ଼ଖଣ୍ଡରେ ଉପସ୍ଥିତ କରାଯାଇ ସ୍ଥାନୀୟ ଏକ ବାଳାଶ୍ରମରେ ରଖାଯାଇଛି । ପରୀ -୩ ଟିମ୍ ଆସନ୍ତା ୩୧ ଅଗଷ୍ଟ ତାରିଖ ସୁଦ୍ଧା ଏହି ଶିଶୁମାନଙ୍କୁ ଓଡ଼ିଶାକୁ ଫେରାଇ ଆଣି ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଉକ୍ତ ଟିମ୍ର ମୁଖ୍ୟ ଜୟନ୍ତ କୁମାର ବେହେରା, ବିକାଶ ରଞ୍ଜନ କର ଓ ଅଭୟ କୁମାର ମହାପାତ୍ର କହିଛନ୍ତି ।