ଭାରତରେ ସୁସ୍ଥ ହେଲେ ୬ ଲକ୍ଷରୁ ଅଧିକ କରୋନା ରୋଗୀ

ନୂଆଦିଲ୍ଲୀ, ଏଜେନ୍ସି : ଭାରତରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିଲା ବେଳେ ଆରୋଗ୍ୟହାର ମଧ୍ୟ ସେହିମାତ୍ରାରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨,୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଏହି ସମୟ ମଧ୍ୟରେ ୨୦,୭୮୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ଆରୋଗ୍ୟହାର ୬୩.୨୫ ପ୍ରତିଶତକୁ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ଦେଶରେ ୯ ଲକ୍ଷ ୬୮ ହଜାର ୮୭୬ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ସେହିପରି ଦେଶରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୨ ହଜାର ୮୧୫ ଜଣ କରୋନା ରୋଗୀ ସୁସ୍ଥ ହେଲେଣି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୪,୯୧୫କୁ ବୃଦ୍ଧିପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଲକ୍ଷ ୩୧ ହଜାର ୧୪୬ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। ୨ଟି ରାଜ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ଦେଶର ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୪୮.୧୫ ପ୍ରତିଶତ ରହିଛନ୍ତି। ଦେଶର ମୋଟ୍ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ୧୦ଟି ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୬.୬୨ ପ୍ରତିଶତ ରହିଛି।