୬ ଜୁଆଡି ଗିରଫ: ବୋଲେରୋ, ବାଇକ, ଟଙ୍କା ଜବତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବରଘାଟ ନିକଟରେ ଚାଲିଥିବା ଜୁଆ ଅଡ୍ଡା ଉପରେ ବ୍ରଜରାଜନଗର ପୁଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିବାସହ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏହାସହ ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଏକ ବୋଲେରୋ(ଓଡି୧୬ଏ୬୬୭୫), ୧୪ଟି ବାଇକ, ୩ ଟି ମୋବାଇଲ ଫୋନ, ଏକ ଘୁଡଘୁଟି ପଟି ଓ ଡାଇସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡର ମୁକେଶ ଅଗସ୍ତି (୪୨), ସମ୍ବଲପୁରର ଟଙ୍କଧର ସାହୁ(୪୫), ମହାଦେବ ବେହେରା(୫୨), ଝାରସୁଗୁଡାର ସୁମନ୍ତ ବଢାଇ(୩୬), ଉତ୍ତମ କୁମାର ବଢେଇ(୩୫), ବ୍ରଜରାଜନଗରର ସୁନିଲ ପ୍ରଧାନ(୪୩) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଗାନ୍ଧିଛକ ନିକଟସ୍ଥ ବରଘାଟ ଜୁଆଡି ମାନଙ୍କ ପେଣ୍ଠସ୍ଥଳୀ ପାଲଟିଥିଲା। ଏଠାକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଜୁଆରିମାନେ ଆସି ବିଭିନ୍ନ ସମୟରେ ଭୋଜିଭାତ କରିବା ସହ ଜୁଆ ଖେଳର ଆୟୋଜନ କରୁଥିଲେ। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ସେମାନଙ୍କୁ ଧମକ ଚମକ ମଧ୍ୟ ଦେଉଥିଲେ। ତେବେ ସୋମବାର ରାତି ସମୟରେ ଏଠାରେ ଜୁଆ ଖେଳ ଚାଲିଥିବା ସମୟରେ ବ୍ରଜରାଜନଗର ପୁଲିସ ଚଢାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ କେତେକ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।