ଲାଞ୍ଚ ନେଇ ପାୱାର କଟ୍ ପାଇଁ ରାଜି ହୋଇ ଫସିଲେ ୬ ଯନ୍ତ୍ରୀ: ଶକ୍ତି ସଚିବଙ୍କ ନିଲମ୍ବନ ଓ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲାଞ୍ଚ ନେଇ ବିଦ୍ୟୁତ୍ କାଟ ପାଇଁ ପ୍ରସ୍ତୁତି ହେବା କିଛି ଜେଇଙ୍କୁ ମହଙ୍ଗା ପଡ଼ିଛି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଷ୍ଟିଙ୍ଗ ଅପରେସନ୍ କବଜାରେ ଫସିଯାଇଛନ୍ତି ରାଜ୍ୟର ୬ଜଣ କନିଷ୍ଠ ଯନ୍ତ୍ରୀ। ଘଟଣାର ଖୋଲାସା ହେବା ପରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ସଂପୃକ୍ତ ଯନ୍ତ୍ରୀମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ସହ ତୁରନ୍ତ ନିଲମ୍ବନ ଓ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ଶକ୍ତି ସଚିବ ଏମାନଙ୍କ ବିରୁଦ୍ଦରେ ଏତଲା ଦାୟର କରିବା ପାଇଁ ସେସୁ ଓ ସାଉଥ୍କୋକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସେସୁର ସିଇଓ ଅରୁଣ ବୋଥ୍ରା ଉକ୍ତ ଅଫିସରଙ୍କ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ସବିଶେଷ ତଥ୍ୟ ଦେଇଥିଲେ। ଫଳସ୍ୱରୂପ ଏହି ୬ ଜଣ କନିଷ୍ଠ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗୁ ହୋଇଛି। ନିଲମ୍ବିତ ଯନ୍ତ୍ରୀମାନେ ହେଲେ, ଖୋର୍ଦ୍ଧା ସବ୍ ଡିଭିଜନର ଅଭିମନ୍ୟୁ ବେହେରା, ଭିଏସ୍ଏସ୍ ସବ୍ ଡିଭିଜନ୍ର ସୁବ୍ରତ ଦାସ, ବରମୁଣ୍ଡା ସବ୍ ଡିଭିଜନ୍ର ସୁବ୍ରତ କୁମାର ମିଶ୍ର, ଜଟଣୀର ସବ୍ ଡିଭିଜନ୍ର ସୁବ୍ରତ ତ୍ରିପାଠୀ, ରାୟଗଡ଼ା ଗୁଣୁପୁର ସବ୍ ଡିଭିଜନର ବିଦ୍ୟୁତ୍ ନିର୍ବାହ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦ ଓ ନବରଙ୍ଗପୁର ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ।

ଉଲ୍ଲେଖଯୋଗ୍ୟ ଯେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହି ଅଫିସରମାନଙ୍କ କଲ୍ କରି ନିଜକୁ ଜେନେରେଟର ବିକ୍ରି ସଂସ୍ଥାର କର୍ମଚାରୀ ବୋଲି କହିଥିଲେ। ସଂପୃକ୍ତ ସବ୍ଡିଭିଜନ୍ରେ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ କାଟ କଲେ ମନ ମୁତାବକ ଟଙ୍କା ଦେବାକୁ ମଧ୍ୟ ପ୍ରଲୋଭନ ଦିଆଯାଇଥିଲା। ଦୁର୍ଭାଗ୍ୟଜନକ ଭାବେ ଏହି ୬ଜଣ ସରକାରୀ କର୍ମଚାରୀ ଲାଞ୍ଚ ନେଇ ବିଦ୍ୟୁତ୍ କାଟ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଏହାପରେ ଏମାନଙ୍କ କଲ୍ ରେକଡିଂ ଓ ବ୍ୟକ୍ତିଗତ ସାକ୍ଷାତକାରକୁ ଗଣମାଧ୍ୟମରେ ସାର୍ବଜନୀନ କରାଯାଇଥିଲା।

ମୁଣ୍ଡ ବିକିବାକୁ ମନା କଲେ ଗଙ୍ଗାଗୌରୀ ପ୍ରସାଦ ପଟ୍ଟନାୟକ
୬ ଜଣ କନିଷ୍ଠ ଯନ୍ତ୍ରୀ ଟଙ୍କା ପାଇଁ ନିଜ କାମରେ ହେଳା କରିବାକୁ ପ୍ରସ୍ତୁତ ଥିବା ବେଳେ ଅନ୍ୟପକ୍ଷରେ ନିଜ ସଚ୍ଚୋଟତାର ପରିଚୟ ଦେଇଛନ୍ତି ପାରଳାଖେମୁଣ୍ଡି ସବ୍ ଡିଭିଜନ୍ କନିଷ୍ଠ ଯନ୍ତ୍ରୀ ଗଙ୍ଗାଗୌରୀ ପଟ୍ଟନାୟକ। ଷ୍ଟିଙ୍ଗ୍ ଅପରେସନ୍ରେ ତାଙ୍କୁ ମଧ୍ୟ ପ୍ରଲୋଭନ ଦିଆଯାଇଥିଲା, ମାତ୍ର ସେ ସିଧାସିଧା ଏଭଳି ଡିଲ୍ ପାଇଁ ମନା କରିଥିଲେ। ଅଯଥା ବିରକ୍ତ ନକରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ସରକାରୀ କର୍ମଚାରୀ ଭାବେ ନିଜ କର୍ମକ୍ଷେତ୍ରକୁ ସର୍ବାଗ୍ରେ ମାନୁଥିବା ଏହି ଯନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଦ୍ୟୁତ କାଟ୍ ହୁଏ। ବିଦ୍ୟୁତ୍ କାଟିବାର କୌଣସି ଅଧିକାର ମୋର ନାହିଁ। ମୋ ପାଖକୁ ଏଭଳି ପ୍ରସ୍ତାବ ନେଇ ଆସନ୍ତୁ ନାହିଁ।