୬ ଆନ୍ତଃରାଜ୍ୟ ଡକାୟତ ଗିରଫ, ବାଇକ ଓ ମାରଣାସ୍ତ୍ର ଜବତ

ଟାର୍ଗେଟରେ ଥିଲେ ଫାଇନାନ୍ସ କର୍ମଚାରୀ

କେଉଁଝର/ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ଏକ ବଡ଼ ଧରଣର ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ତୁରୁମୁଙ୍ଗା ପୋଲିସ ୬ ଜଣ ଆନ୍ତଃରାଜ୍ୟ ଡକାୟତକୁ କାବୁ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ କରିବା କୁ ଯୋଜନା କରିବା ପାଇଁ ଏହି ଡକାୟତମାନେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାଉଁଶୁଳି ରିଜର୍ଭ ଫୋରେଷ୍ଟ ରହି ଯୋଜନା କରୁଥିଲେ ।

କୌଣସି ସୂତ୍ରରୁ ତୁରୁମୁଙ୍ଗା ପୋଲିସ ଖବର ପାଇ ଥାନା ଅଧିକାରୀ ଅମିତାଭ ଦାଶଙ୍କ ନେତୃତ୍ୱରେ ଥାନା ଏଏସଆଇ ଗୁରୁପ୍ରସାଦ ଦେଓ, କୈଳାସ ଚନ୍ଦ୍ର ମହାନ୍ତ ଓ ଓଏପିଏଫ କର୍ମଚାରୀଙ୍କ ସମେତ ଥାନା ଷ୍ଟାଫ ବାଉଁଶୁଳି ଜଙ୍ଗଲରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୬ଟି ବାଇକ ଗୋଟିଏ ସ୍କୁଟି ୩ଟି ଦେଶୀ ପିସ୍ତଲ ୯ଟି ଜୀବନ୍ତ ଗୁଳି ଗୋଟିଏ ଫୁଟିଥିବା ଗୁଳି, ଗୋଟିଏ ଭୁଜାଲି, ଗୋଟିଏ ଫାର୍ସା ଏବଂ ୬ ଟି ମୋବାଇଲ ପୋଲିସ ଜବତ କରିଛି। ବୁଧବାର ତୁରୁମୁଙ୍ଗା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ହରିହର ପାଣି ଉକ୍ତ ଡ଼କାୟତମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

ଏହି ୬ ଜଣ ଆନ୍ତଃରାଜ୍ୟ ଡକାୟତକୁ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଘଟଗାଁ ଥାନା ବଡ଼ ମସିଣାବିଲା ଗ୍ରାମର ଗୋବିନ୍ଦ ଗିରି, ସମେତ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମ ଖମାର ସାହିର ରାହୁଲ ନାଏକ, ଝାରଖଣ୍ଡ ପଶ୍ଚିମସିଙ୍ଘଭୂମର ମଝିଗାଁ ଥାନା ଜାମିରିପଶି ଗ୍ରାମର ମାଣିକର ନାୟକ, ଯାଜପୁର ଜିଲ୍ଲା ଟମକା ଥାନା ତରେଇଲ ଗ୍ରାମର ସୁକାନ୍ତ ପୃଷ୍ଟି, କେନ୍ଦୁଝର ଘଷିପୁରା ଥାନା କେଶଦୁରାପାଳ ଗ୍ରାମର ଅମୂଲ୍ୟ ପାତ୍ର ଓ ବାଲିପାଳ ଗ୍ରାମର କରୁଣା କର ସେନାପତିଙ୍କ ବିଷ୍ଣୁ ସେନାପତିଙ୍କୁ ଗିରଫ କରିଛି। ଏମାନଙ୍କ ନାମରେ ବହୁ ଲୁଟ ଏବଂ ଡକାୟତି ମାମଲା ବିଭିନ୍ନ ଥାନାମାନଙ୍କରେ ରୁଜୁ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି।

ଏହା ସହିତ ଗତ ଅଗଷ୍ଟ ମାସ ୨୩ ରି ତାରିଖରେ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ଘାଟିରୁ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୯୨ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଓ ଟାବଲେଟ ଆଦି ଲୁଟିନେଇ ପୋଲିସର ନିଦ ହଜାଇ ଦେଇଥିଲେ।

ସେହିପରି କରଞ୍ଜିଆ ଅଞ୍ଚଳରୁ ଗାଡି ଚୋରି ପାଟଣା ଥାନା୨୨୦ ନମ୍ବର ରାଜପଥ ବଡ଼ବିଲ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ସହିତ ଟାଉନ ଥାନା ଡିମ୍ବ ରାସ୍ତାରୁ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣା ଏବଂ ବାରିଆ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଲୁଟ ମୟୁରଭଞ୍ଜ ଜିଲ୍ଲା ଘାଗର ବେଡା ଥାନା ଅଞ୍ଚଳରେ ଲୁଟ ଆଦି ଘଟଣାରେ ସମ୍ପୃକ୍ତ ଥିଲେ ଏହି ଡକାୟତ ।ଏମାନଙ୍କୁ ଧରିବା ପାଇଁ ତୁରୁମୁଙ୍ଗା ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ଅମିତାଭ ଦାଶ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ।

ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବାଉଁଶୁଳି ଜଙ୍ଗଲ ଭିତରୁ ଧରିବାକୁ ସକ୍ଷମ ହୋଇ ପଚରାଉଚରା ବେଳେ ଏମାନେ କେନ୍ଦୁଝର ମୟୁରଭଞ୍ଜ ଆଦି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଲୁଟ ଓ ଡ଼କାୟତ ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାମାନେ ସ୍ୱୀକାର କରିଥିଲେ। ତୁରୁମୁଙ୍ଗା ଥାନାରେ ମାମଲା ରୁଜୁକରି ସମସ୍ତେ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।