କେନ୍ଦୁଗୁଡା ହତ୍ୟାକାଣ୍ଡ ଘଟଣା: ୬ ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର କେନ୍ଦୁଗୁଡା ଗ୍ରାମର ଜଣେ ଛାତ୍ରଙ୍କୁ ହତ୍ୟା ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତି ମାନେ ହେଲେ ଦେବା ମାଡକାମି, ଶୁକ୍ରା କବାସୀ, ଆଡମା ମାଡି, ବୁଦ୍ରା ମୁଚାକି, ଆଇତା କବାସୀ ଓ ରାମ ମାଡି। ଗତ ୩ମାସ ମଧ୍ୟରେ ଅଜଣା ରୋଗରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ମୃତ୍ୟୁ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ସନ୍ଦେହ କରି ଉକ୍ତ ଗ୍ରାମର ଜଣେ ଛାତ୍ର ସମାରୁ ମାଡକାମିକୁ ଅତି ନିର୍ମମ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ଗତ ୪ ତାରିଖ ରାତ୍ରିରେ ଗିରଫ ବ୍ୟକ୍ତିମାନେ ସମାରୁ ମାଡକାମିଙ୍କୁ ରାତ୍ର ୧୧ଟାରେ ଗୋଟିଏ ବୈଠକ ଅଛି କହି ସେଠାକୁ ଡକାଇବା ସହିତ ରାତ୍ରି ୧୨ଟାରେ ତାଙ୍କ ଭାଇ ଉଙ୍ଗା ମାଡ଼କାମିଙ୍କୁ ଏକ ନିକଟସ୍ଥ ଜଙ୍ଗଲକୁ ଡାକିଥିଲେ। କିନ୍ତୁ ଉଙ୍ଗା ତାଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଖି ସେଠାରୁ ଖସିବାରେ ସଫଳ ହୋଇଥିବା ବେଳେ ତାଙ୍କ ଭାଇ ସମରା ମାଡକାମିଙ୍କ କୌଣସି ସନ୍ଧାନ ମିଳିନଥିଲା। ଏ ନେଇ ଉଙ୍ଗା ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ସେମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଧର୍ମ ଅବଲମ୍ବନ କରିଥିବାରୁ ଉଙ୍ଗାଙ୍କ ତିନୋଟି ପରିବାରକୁ ସେହି ଗ୍ରାମର କିଛି ଗ୍ରାମବାସୀ ବିରୋଧ କରୁଥିଲେ। ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଅଭିଯୋଗ ପାଇ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରି ମାଟିତଳେ ପୋତାଯାଇଥିବା ଶବକୁ ଉଦ୍ଧାର କରିଥିଲେ। ତଦନ୍ତ ବେଳେ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।