ଅବକାରୀ ଚଢ଼ଉ : ୧୨୫ କିଲୋ ଗଞ୍ଜେଇ ସହ ମଦ ଜବତ, ୬ ଗିରଫ

ଫୁଲବାଣୀ,ଗୋଛାପଡ଼ା,ଏନ୍ଏନ୍ଏସ୍: ମଙ୍ଗଳବାର ଅବକାରୀ ବିଭାଗ ଦ୍ୱାରା ଚଢ଼ଉ କରାଯାଇ ୧୨୫ କେଜି ରଞ୍ଜେଇ ଜବତ କରାଯିବା ସହିତ ୭୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଉଭୟ ଘଟଣାରେ ୨ ଟି ଗାଡ଼ି ଜବତ ହେବାସହ ୬ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ଅବକାରୀ ବିଭାଗ ନିକଟରେ କୌଣସି ସୂତ୍ରରୁ ଖବର ପହଞ୍ଚି ଥିଲା । ଖବର ଅନୁଯାୟୀ, ଅବକାରା ସୁପରିଟେଣ୍ଡାଣ୍ଟ ମଧୁସ୍ମିତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲା। ଖଜୁରୀପଡା ନିକଟରେ ଏକ ପିକ୍ ଅପ୍ ଭ୍ୟାନକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ସଂପୃକ୍ତ ଗାଡି ସହ ଏଥିରେ ଥିବା ୧୨୫ କିଲୋ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳର କୁଳମଣି ସାହୁ ଓ ଅନୁଗୁଳ ଜିଲା କୁରୁଡାର ତରୁ ସାହୁଙ୍କୁ ଗିରଫ କରାଯାଇଛି।
ସେହିଭଳି ଅବକାରୀ ବିଭାଗ ଦ୍ୱାରା ଆଜି ୭୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଚାରିଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଆଲୋକ କୁମାର ଜେନା, କନ୍ଧମାଳ ଜିଲ୍ଲା ଦଡକିର ବାବୁ ସାହୁ, ସୁଡ୍ରୁକୁମ୍ପାର ପ୍ରକାଶ ବେହେରା ଓ ଖଜୁରୀପଡାର ଦିପୁନ ତ୍ରିପାଠୀ।