ପୋଷିପାରିବେନି ବୋଲି ୫ଦିନର ଶିଶୁକୁ ଦାନ କରିଦେଲା ମା’

ନୀଳଗିରି, ୨୭ା୮/ଏନ୍ଏନ୍ଏସ୍ : ନୀଳଗିରିରେ ଜନୈକା ମହିଳା ଦାରିଦ୍ର‌୍ୟର ତାଡ଼ନାରେ ପଡ଼ି ଶେଷରେ ନିଜର ପାଞ୍ଚ ଦିନର କନ୍ୟାସନ୍ତାନକୁ ଦାନ କରିଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତରେ ଟଙ୍ଗଣା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ପିଟୁ ସିଂର ପୁଅ ଗଣେଶ ଗରଡ଼ିହି ପଞ୍ଚାୟତର କୁଞ୍ôଜବଣିଆ ଗ୍ରାମର ଘନ ସିଂର ଝିଅ ଗୀତାକୁ ଭଲପାଇ ୪ର୍ଥ ବିବାହ କରିଥିଲା । ବସରେ ହେଲ୍ପର କାମ କରିଆସୁଥିବା ଗଣେଶ ନିଜ ପରିବାରକୁ ଭରଣପୋଷଣ କରିଆସୁଥିବା ବେଳେ ତାଙ୍କର ଏବେ ବର୍ଷକର ପୁଅଟିଏ ଅଛି । କିଛି ମାସ ବ୍ୟବଧାନ ପରେ ଗୀତା ଗର୍ଭବତୀ ଘଟଣା ଜାଣିଲା ପରେ ଗଣେଶ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଲା । ଫଳରେ ଗୀତା ନିରୁପାୟ ହୋଇ ଶେଷରେ ନିଜର ବାପଘର କୁଞ୍ଜିବଣିଆ ଗାଁକୁ ପଳାଇ ଆସି ରହୁଥିଲେ । ୪ଦିନ ପୂର୍ବରୁ ଗୀତା ବାପଘରେ ଏକ କନ୍ୟାସନ୍ତାନ ଜନ୍ମ କରିଥିଲା । ଏହାକୁ ନେଇ ଗୀତାର ବାପଘର ଲୋକେ ମାନସିକ ନିର୍ଯାତନା ଦେବା ସହ ତୋର ଝିଅକୁ ଆମେ ସମ୍ମାଳି ପାରିବୁ ନାହିଁ ବୋଲି କହିଥିଲେ । ଦାରିଦ୍ରର କଷାଘାତ ଭିତରେ ଗୀତା ୫ ଦିନର ଜନ୍ମିତ ଝିଅକୁ ଧରି ପୋଡ଼ାଶୂନ ଛକରେ ପିଲାଟିକୁ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । ଉକ୍ତ ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ମହିଳାଙ୍କ ଠାରୁ ସମସ୍ତ ଘଟଣା ପଚାରି ବୁଝଇଥିଲେ । ଖବର ପାଇ ଗୀତାର ଭିଣୋଇ ରଣଜିତ୍ ସିଂ ପୋଡ଼ାଶୂନ ଛକରେ ପହଞ୍ଚି ୫ ଦିନର ଶିଶୁ କନ୍ୟାକୁ ପୋଷ୍ୟ ଗ୍ରହଣ କରି ମହନୀୟତା ଦେଖାଇଛନ୍ତି । ପ୍ରକାଶ ଥାଉ କି ଗୀତାର ସ୍ୱାମୀ ଗଣେଶ ୫ମ ଥର ପାଇଁ ଅନ୍ୟତ୍ର ବିବାହ କରିଛନ୍ତି ।