ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଛଅଟି ଜିଲ୍ଲା ଯଥା-ଜଲପାଇଗୁଡି, କାଲିମପଙ୍ଗ୍, ଦାର୍ଜିଲିଂ, ନଦିଆ, ଉତ୍ତର ଚବିଶପ୍ରଗଣା ଓ ପୂର୍ବ ବର୍ଦ୍ଧମାନର ୪୫ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ୩୧୯ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ରହିଛି ବୋଲି ସେମାନେ ସତ୍ୟପାଠରେ ସ୍ୱୀକାର କରିଛନ୍ତି। ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେଉଥିବାବେଳେ ୫ମ ପର୍ଯ୍ୟାୟକୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

୨୦୧୯ ଲୋକସଭା ନିର୍ବାଚନରେ ଏହି ୬ଟି ଜିଲ୍ଲାରେ ବିଜେପିକୁ ୪୫ ପ୍ରତିଶତ ଭୋଟ ମିଳିଥିବାବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ୪୧.୫ ପ୍ରତିଶତ ଭୋଟ ପାଇଥିଲା। ତେବେ ଆସନ ସଂଖ୍ୟା ଦୃଷ୍ଟିରୁ ସେତେବେଳେ ବିଜେପି ୨୨ ଓ ଟିଏମସି ୨୩ଟି ଆସନରେ ଅଧିକ ଭୋଟ ପାଇଥିଲା। ଏହି ପର୍ଯ୍ୟାୟରେ ଦାର୍ଜିଲିଂ ଓ କାଲିମପଙ୍ଗ୍ ଭଳି ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ ହୋଇଥିବାରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ପୁନଶ୍ଚ କଂଗ୍ରେସ ଓ ବାମଦଳକୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମଧ୍ୟ ଏହି ଅଞ୍ଚଳରେ କେତେକ ଆସନ ହାତେଇବ ବୋଲି ଆଶା କରାଯାଉଛି। ଏହି ପର୍ଯ୍ୟାୟର ୪୫ଟି ଆସନ ମଧ୍ୟରୁ ବିଜେପି ଓ ଟିଏମ୍ସି ସବୁ ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ ସିପିଏମ ୧୯, କଂଗ୍ରେସ ୭, ଇଣ୍ଡିଆନ ସେକୁଲାର ଫ୍ରଣ୍ଟ୍ ୩ ଓ ଫରୱାର୍ଡ ବ୍ଲକ, ସିପିଆଇ, ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, ମାର୍କସିଷ୍ଟ ଫରୱାର୍ଡ ବ୍ଲକ ପ୍ରମୁଖ ଦଳ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଛନ୍ତି।