୫ମ ଓ ୭ମ ପିଲାଙ୍କ ପାଇଁ ହେବ ପ୍ରି-ଟେଷ୍ଟ୍

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଗଣଶିକ୍ଷା ବିଭାଗ ୫ମ ଏବଂ ୭ମ ଶ୍ରେଣୀ ପିଲାଙ୍କ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରୁଛି। ପୂର୍ବରୁ ମାଟ୍ରିକ ପରୀକ୍ଷାରେ ପ୍ରଚଳିତ ପ୍ରି-ଟେଷ୍ଟ୍ ପରୀକ୍ଷା ପରି ଏବେ ୫ମ ଏବଂ ୭ମ ଶ୍ରେଣୀ ପିଲାଙ୍କ ଲାଗି ପ୍ରି-ଏଗଜାମ ଟେଷ୍ଟ ଆୟୋଜନ କରାଯିବ। ଯାହା ପିଲାଙ୍କୁ ମାନସିକ ସ୍ତରରେ ସୁଦୃଢ଼ କରିବା ସହ ସେମାନଙ୍କ ପାଇଁ ପରୀକ୍ଷା ପ୍ରସ୍ତୁତିକୁ ଅଧିକ ସହଜ କରିବ। ରାଜ୍ୟରେ ଏହି ବ୍ୟବସ୍ଥା ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଦୁର୍ବଳ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଲାଗି ଗଣଶିକ୍ଷା ବିଭାଗ ଉଜ୍ଜ୍ୱଳ -ଉତଥାନ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ପାଠପଢ଼ା କ୍ଷେତ୍ରରେ ପଛୁଆ ଏବଂ ପରୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ପିଲାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ଉତଥାନ ଯୋଜନାରେ ସମାନ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ଏତେ ସବୁ ପରେ ବି ଅଧିକାଂଶ ପ୍ରାଥମିକ ସ୍କୁଲରେ ପିଲାମାନେ ଆଶାନୁଯାୟୀ ପ୍ରଦର୍ଶନ କରିପାରୁ ନାହାନ୍ତି। ବିଶେଷ କରି ପରୀକ୍ଷା ଭୟ ତଥା ପାଠ୍ୟକ୍ରମ ଚାପ ସେମାନଙ୍କୁ ଭାରାକ୍ରାନ୍ତ କରୁଥିବା ଜଣାପଡ଼ିଛି। ସେଥିପାଇଁ ଗଣଶିକ୍ଷା ବିଭାଗ ପ୍ରି-ଏକଜାମ ଟେଷ୍ଟ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ରିପୋର୍ଟ ଅନୁଯାୟୀ ରାଜ୍ୟର ୫୪ହଜାର ୭୮୨ଟି ପ୍ରାଥମିକ ସ୍କୁଲରେ କେବଳ ୫ମ ଶ୍ରେଣୀରେ ପିଲାଙ୍କ ସଂଖ୍ୟା ୭ଲକ୍ଷ ୫୪ହଜାର ୨୪୯ ରହିଛି। ସେହିପରି ସପ୍ତମ ଶ୍ରେଣୀରେ ପିଲାଙ୍କ ସଂଖ୍ୟା ୭ଲକ୍ଷ ୨୨ହଜାର ୮୭୧ ରହିଛି। ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ପାସହାର ବୃଦ୍ଧି ସହ ଜିରୋ ରେଜଲ୍ଟ ମିଶନକୁ ସଫଳ କରିବା ଲାଗି ପ୍ରାଥମିକ ସ୍ତରରୁ ପ୍ରଥମଥର ଲାଗି ପଞ୍ଚମ ଏବଂ ସପ୍ତମ ଶ୍ରେଣୀକୁ ଟାର୍ଗେଟ କରାଯାଇଛି। ପଞ୍ଚମ ଶ୍ରେଣୀ ପାସ କରୁଥିବା ପିଲାଙ୍କ ମଧ୍ୟରୁ ମାତ୍ର ୨୪ପ୍ରତିଶତ ପିଲା ବିଷୟ ଭିତ୍ତିକ ପରୀକ୍ଷାରେ ୬୦ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହେଉଥିବା ବେଳେ ସପ୍ତମ ଶ୍ରେଣୀ ପାସ କରୁଥିବା ପିଲାଙ୍କ ମଧ୍ୟରୁ ମାତ୍ର ୧୮ପ୍ରତିଶତ ପିଲା ୬୦ପ୍ରତିଶତ ମାର୍କ ରଖିବାର ଦକ୍ଷତା ହାସଲ କରିଥା’ନ୍ତି। ଫଳରେ ଏହାର ପ୍ରଭାବ ଅଷ୍ଟମ ଏବଂ ପରେ ଦଶମ ଶ୍ରେଣୀରେ ଦେଖିବାକୁ ମିଳିଥାଏ।

ତେଣୁ ଏ ସମ୍ପର୍କରେ ଗୁରୁତ୍ୱ ଦେବା ସହ ୫ମ ଏବଂ ୭ମ ପାସ କରୁଥିବା ପିଲାଙ୍କ ମଧ୍ୟରେ ସର୍ବାଧିକ ୬୦ପ୍ରତିଶରୁ ଅଧିକ ଦକ୍ଷତା ଅର୍ଜନ କରିବା ଲାଗି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଯେଉଁଥିରେ ରାଜ୍ୟରେ ପୁଣି ପାସ-ଫେଲ ବ୍ୟବସ୍ଥା ପ୍ରଚଳନ ହୋଇଥିବାରୁ ୫ମରେ ଯେପରି ୮୦ ପ୍ରତିଶତରୁ ଅଧିକ ପିଲା ୬୦ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହେବେ ଏବଂ ସପ୍ତମରେ ୬୫ପ୍ରତିଶତ ପିଲା ୬୦ପ୍ରତିଶତରୁ ଅଧିକ ମାର୍କ ରଖିବେ ସେଥିପାଇଁ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଉଭୟ ୫ମ ଏବଂ ସପ୍ତମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ପରେ ପିଲାଙ୍କ ଦକ୍ଷତାକୁ ଅନୁଧ୍ୟାନ କରି ବାର୍ଷିକ ପରୀକ୍ଷା ପୂର୍ବରୁ ପ୍ରି-ଏକଜାମ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁଥିରେ ସ୍କୁଲର ପ୍ରଧାନଶିକ୍ଷକ ମାନେ ଗୁରୁତ୍ୱ ଦେବା ସହ ବିଷୟଭିତ୍ତିକ ଶିକ୍ଷକମାନେ ମଧ୍ୟ ଗୁରୁତ୍ୱ ଦେବେ।