ମୋ ସରକାର ଅନୁଧ୍ୟାନ: ୫-ଟି ସଚିବଙ୍କ ମାଲକାନଗିରି ଓ କୋରାପୁଟ ଗସ୍ତ

ମାଲକାନଗିରି,କୋରାପୁଟ, ଏନ୍ଏନ୍ଏସ୍: ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ୫-ଟିର ପ୍ରମୁଖ ସଚିବ ଭି. କାର୍ତିକେୟନ ପାଣ୍ଡିୟାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକ ଶାଳିନୀ ପଣ୍ଡିତ ବୁଧବାର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଏମ.ଭି-୩ ବିଏସଏଫ କ୍ୟାମ୍ପରେ ଏକ ହେଲିକପ୍ଟର ଯୋଗେ ପହଂଚିବା ପରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିଦର୍ଶନ କରିଥିଲେ ।

ପରିଦର୍ଶନ ବେଳେ ମୋ ସରକାର କାର୍ଯ୍ୟକ୍ରମ କିଭଳି କାଯ୍ୟକାରୀ ହେଉଛି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଆଇସିୟୂ ଓ ଏସଏନସିୟୂ ପରିଦର୍ଶନ କରିଥିଲେ । ଏଥିସହ ୱାର୍ଡକୁ ଯାଇ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ ସହ ଡାକ୍ତର ଓ କର୍ମଚାରୀଙ୍କ ରୋଗୀଙ୍କ ପ୍ରତି ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ ।

ଏହାପରେ ମାଲକାନଗିରିର ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବା ସହ ୨ ଜଣ ଅଭିଜ୍ଞ ଡାକ୍ତରଙ୍କୁ ପ୍ରତିମାସରେ ହେଲିକପ୍ଟର ଯୋଗେ ମାଲକାନଗିରି ଅଣାଯାଇ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସଚିବମାନେ ଗୁରୁତ୍ୱ ଦେଇଥିଲେ ।

ବିଶେଷ କରି ବାହାରର ଔଷଧ ଦୋକାନରୁ ଔଷଧ କ୍ରୟ କରିବା ପାଇଁ ରୋଗୀଙ୍କୁ ପରାମର୍ଶ ନ ଦେବାକୁ ନିର୍ଦ୍ଦେଶ ଦେବା ସହ କିଭଳି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କରି ଖୁସି ପ୍ରକଟ କରିଥିବା ମୂଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ.ଅଜୟ କୁମାର ବୈଠାରୁ ପକାଶ କରିଛନ୍ତି । ପରିଦର୍ଶନ ବେଳେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ରିଶିକେଷ ଖିଲାରୀ ଡ୍ୟାନଡେଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ସଚିବ ଭି. କେ. ପାଣ୍ଡିଆନ କୋରାପୁଟ୍ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସେ କୋରାପୁଟ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।