କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଫୁଲବାଣୀ,ଏନ୍ଏନ୍ଏସ୍: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ, ୫-ଟି କାର୍ଯ୍ୟକ୍ରମ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିଆନ ଏବଂ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍ ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପୂର୍ବାହ୍ନ ପ୍ରାୟ ୯ଟାରେ ହେଲିକ୍ୟାପ୍ଟର ଯୋଗେ ସମସ୍ତେ ଗୁଦାରି ଠାରେ ପହଂଚିବା ପରେ ସେଠାରୁ ସିଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ ।

ପ୍ରଥମେ ମାତୃ ଓ ଶିଶୁ ବିଭାଗ ପରିଦର୍ଶନ କରିବା ପରେ ଆଉଟଡୋରକୁ ଯାଇ ସେଠାରେ ଉପସ୍ଥିତ ଥିବା ରୋଗୀମାନଙ୍କୁ ମାଗଣା ଔଷଧ, ଚିକିତ୍ସା ମିଳୁଛି ନା ନାହିଁ ପଚାରି ବୁଝିବା ସହ ନିଦାନରେ ସମସ୍ତ ପ୍ରକାର ଔଷଧ ଅଛି ନା ନାହିଁ ବୁଝିଥିଲେ । ଏହା ପରେ ସର୍ଜରୀ ୱାର୍ଡ ଓ ଡାଏଲେସିସ୍ କେନ୍ଦ୍ର ଓ ରୋଷେଇ ଶାଳ ପରିଦର୍ଶନ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସମ୍ମିଳନୀ ଗୃହରେ ସମୀକ୍ଷା ବୈଠକରେ ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଥିଲେ ।

ଡାକ୍ତରଖାନାରେ ଯେପରି ରୋଗୀଙ୍କୁ ମାଗଣା ଚିକିତ୍ସା, ସମସ୍ତ ପ୍ରକାର ପରୀକ୍ଷା ମାଗଣା କରାଯିବା ସହ ସେମାନଙ୍କୁ ଉତମ ବ୍ୟବହାର ଏବଂ ଡାକ୍ତରଖାନା ପରିସରର ସଫାସୁତୁରା ରଖିବାକୁ ସେ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପାଣି ସମସ୍ୟା, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରେଷ୍ଟ ସେଡ୍ ନିର୍ମାଣ, ଡାକ୍ତରମାନଙ୍କ ପାଇଁ ଟ୍ରାଞ୍ଜିଟ୍ ହାଉସ, ମାତୃ, ଶିଶୁ ବିଭାଗରେ ଆଉ ଦୁଇ ଫ୍ଲୋର ନିର୍ମାଣ ସହ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ସିଡିଏମଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିିଥିବା ବେଳେ ଏସବୁ ଉପରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ନିର୍ଦ୍ଦେଶିକା ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇଥିଲେ ।

ଆଜିର ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଏସପି ପ୍ରତିକ୍ ସିଂ, ଏସଡିପିଓ ଏ. କରେକେଟା, ଉପ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା, ସିଡିଏମଓ ଡା. ସମିର କୁମାର ଦାସ, ଅଡିଏମଓ ମନୋରଞ୍ଜନ ରାଉତ, ଡିପିଏମ ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ସଚିବ ଓ ଅନ୍ୟମାନଙ୍କ ଗସ୍ତ କାଳରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପରିକି ସାମ୍ବାଦିକମାନଙ୍କୁ ସମୀକ୍ଷା ବୈଠକ ନିକଟକୁ ଯିବାକୁ ଦିଆଯାଇ ନଥିଲା । ଟାଉନ ଥାନା ଅଧିକାରୀ ନରେଶ ସାହୁଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଥିଲା  ।