ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ନବରଙ୍ଗପୁର,ଏନ୍ଏନ୍ଏସ୍: ୫ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ଅନ୍ୟ ସଚିବମାନେ ଆଜି ଦିନିକିଆ ନବରଙ୍ଗପୁର ଗସ୍ତ କରିଛନ୍ତି। ଏହି ଅବସରରେ ସଚିବମାନେ ଅନେକ ପ୍ରକଳ୍ପ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୟରେ ଜଳ ସମ୍ପଦ ସଚିବ ଅନୁ ଗର୍ଗ, ରାଜ୍ୟ ମିଶନ ଶକ୍ତି ଡାଇରେକ୍ଟର ଶାଲିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଉପରୋକ୍ତ ସମସ୍ତ ସଚିବ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁରରେ ପହଞ୍ଚିବା ପରେ ନବରଙ୍ଗପୁର ଅଭିମୁଖେ ଆସି ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟାଠାରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଓ ବଙ୍ଗାଳଗୁଡ଼ାଠାରେ ଥିବା ଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ। ଏହାସହ ଜଳ ସମ୍ପଦ ସଚିବ ଅନୁ ଗର୍ଗ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦେଉଳାଠାରେ ଥିବା ଟୁରି ଘୁଣ୍ଟାଦ ପୋଲ ପରିଦର୍ଶନ କରିଥିଲେ। ଶ୍ରୀ ପାଣ୍ଡିଆନ ସ୍ଥାନୀୟ ଆରସିଡ଼ି ହାଇସ୍କୁଲରେ ପହଞ୍ଚି ସ୍ମାର୍ଟ ଶ୍ରେଣୀ ଗୃହ ବୁଲି ଦେଖିବା ସହ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିଥିଲେ। ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ୨ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା. ଅଜିତ କୁମାର ମିଶ୍ରଙ୍କ ସମେତ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ, ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ, ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।