ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ବୌଦ୍ଧ ଗସ୍ତ, ଆହାର କେନ୍ଦ୍ର ପରିଦର୍ଶନ କରି ଭୋଜନ କଲେ

ବୌଦ୍ଧ- ୧୧ ଅକ୍ଟୋବର (ହି.ସ.) :  ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ,୫ ଟି ନିର୍ଦ୍ଦେଶକ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳନି ପଣ୍ଡିତ ଦିନିକିଆ ବୌଦ୍ଧ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି । ବୌଦ୍ଧ କଚେରୀ ଖେଳପଡିଆ ଠାରେ ଅସ୍ଥାୟୀ ହେଲିପେଡରେ ଅବତରଣ କରିବାପରେ ଏହି ପ୍ରତିନିଧି ମଣ୍ଡଳୀ ସିଧାସଳଖ  ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ ।

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚାଲିଥିବା ଦେୟମୁକ୍ତ ସ୍ୱାସ୍ଥ୍ୟସେବା ନେଇ ଅନୁଧ୍ୟାନ କରିଥିଲେ । ଚିକିତ୍ସାଳୟର ୱାର୍ଡ ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ଡାକ୍ତରମାନଙ୍କ ବ୍ୟବହାର,ଚିକିତ୍ସାଳୟରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ । ପରେ ଚକ୍ଷୁ ଚିକିତ୍ସାଳୟ ବୁଲି ଦେଖିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାଭାବ ରହିଥିବାରୁ ଅନେକ ବିଭାଗ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ବୌଦ୍ଧ ଜେଲ ପାଇଁ ନୂତନ କୋଠା ନିର୍ମାଣ ସମାପ୍ତ ହୋଇସାରିଥିବାବେଳେ ତୁରନ୍ତ ଜେଲକୁ ସେଠିକୁ ସ୍ଥାନାନ୍ତର କରାଯାଇ ସେହିସ୍ଥାନରେ ବହୁତଳ ଚିକିତ୍ସାଳୟ କୋଠା ନିର୍ମାଣ କରାଯିବା ସହିତ ଗୋଟିଏ ସ୍ଥାନରେ ରୋଗୀମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡିଛି । ଏ ସଂପର୍କରେ ସରକାରୀସ୍ତରରେ ତୁରନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରତିଶୃତି ଦେଇଥିବା ଜଣାଯାଇଛି ।

ପରେ ପ୍ରତିନିଧି ମଣ୍ଡଳୀ ଚିକିତ୍ସାଳୟ ପରିସରରେ ଖୋଲାଯାଇଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଖାଦ୍ୟର ମାନ ପରୀକ୍ଷା କରିଥିଲେ ଏବଂ ସେଠାରେ ସାଧାରଣଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସେବା ସଂପର୍କରେ ତଦାରଖ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଭି.ରଘୁନାଥ ରାଓ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲକ୍ଷ୍ମୀଧର ସାହୁ ପ୍ରମୁଖ ସାମିଲ ହୋଇ ଜିଲ୍ଳାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

ସେହିପରି ବିପ୍ର ଚରଣ ମହାନ୍ତି ଓ ଅନ୍ୟମାନେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ରହିଥିବା ସମସ୍ୟା ସଂପର୍କରେ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ପ୍ରଦାନ କରିଥିବାବେଳେ ଜିଲ୍ଲା ଓକିଲ ସଂଘ ସଭାପତି ତାରେଣି ମହାପାତ୍ର ଓ ବିଜେଡିର ସାଧାରଣ ସମ୍ପାଦକ ମୃତ୍ୟୁଂଜୟ ମିଶ୍ର ଅତିଥି ଭବନଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଭେଟି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବୌଦ୍ଧ ଜିଲ୍ଲାରେ ରହିଥିବା ସ୍ୱାସ୍ଥ୍ୟସେବାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।