ତାରାତାରିଣୀ ପୀଠର ସମୀକ୍ଷା କଲେ ୫-ଟି ସଚିବ : ହିଞ୍ଜିଳି ବ୍ଲକରେ ବିଦ୍ୟାଳୟ ପରିଦର୍ଶନ ସହିତ ପିଲାଙ୍କ ସହିତ ମଧ୍ୟାହ୍ନଭୋଜନ ଖାଇଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗଞ୍ଜାମର ଇଷ୍ଟଦେବୀ ମା ତାରାତାରିଣୀ ପୀଠର ସାମଗ୍ରିକ ବିକାଶ ହେବ। ଆଜି ଏ ସଂକ୍ରାନ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ ଆଜି ସକାଳୁ ତାରାତାରିଣୀ ପୀଠ ପରିଦର୍ଶନରେ ଯିବା ସହିତ ସେଠାରେ ମନ୍ଦିରର ବିକାଶ, ଯାତ୍ରୀମାନଙ୍କ ସୁବିଧା ଏବଂ ଋଷିକୂଲ୍ୟା ମୂହାଣର ବିକାଶ ନେଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି।

ଏହାପରେ ସେ ହିଞ୍ଜିଳି ବ୍ଲକ ଓ ମୁନିସିପାଲିଟିର ୨୬ଟି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟାଳୟ ପରି·ଳନା କମିଟି, ଶିକ୍ଷକ ଶିକ୍ଷୟତ୍ରୀ ସହ ବିଦ୍ୟାଳୟର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସେହିଭଳି ଶ୍ରୀ ପାଣ୍ଡିଆନ ହିଞ୍ଜିଳି ଠାରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନାକାଳରେ ହାଇସ୍କୁଲ ଶିକ୍ଷା, ପାନୀୟଜଳ, ସଡକ, ସ୍ୱାସ୍ଥ୍ୟସେବା, ବିଜୁଳି ଯୋଗାଣ ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥି ସହିତ ମକରଝୋଲା ବିଦ୍ୟାଳୟ ପରିଦର୍ଶନ ସମୟରେ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହିତ ୫-ଟି ସଚିବ ମଧ୍ୟାହ୍ନଭୋଜନ ଖାଇଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ ପୁରୀର ଶ୍ରୀଜଗନ୍ନାଥ, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଓ କୋଣାର୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତାରାତାରିଣୀ ମନ୍ଦିରର ମଧ୍ୟ ଅନୁରୂପ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କର ଯୋଜନା ରହିଛି। ତେବେ ଆଜି ୫-ଟି ସଚିବ ମନ୍ଦିର ପରିଦର୍ଶନ କରିବାପରେ ଏଠାରେ ମଧ୍ୟ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବବୋଲି ଆଶା ପ୍ରକାଶ ପାଇଛି।