ଝାରସୁଗୁଡ଼ାରୁ ପୁଣି ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଲଖନପୁର ତହସିଲ ଅଫିସ ୭୨ ଘଣ୍ଟା ପାଇଁ ଲୋକଙ୍କୁ ମନା

ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୫୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୧୬ଜଣ ସୁସ୍ଥ ହୋଇଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦୩ ଜଣଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୩୩ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୪ଜଣ, ଝାରସସୁଗୁଡ଼ା ବ୍ଲକରୁ ୩ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୯ଜଣ, ଲଇକେରା ବ୍ଲକରୁ ୬ଜଣ ଓ କୋଲାବିରା ବ୍ଲକ ଅଞ୍ଚଳରୁ ୩ଜଣ ଓ କିର୍ମିରା ବ୍ଲକ ଅଞ୍ଚଳରୁ ଜଣେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୭ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଓ ୫୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଲଖନପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତହସିଲ ଅଫିସରେ କାର୍ଯ୍ୟରତ କର୍ମଚାରୀ ରହିଛନ୍ତି। ଫଳରେ ତହସିଲ କାର୍ଯ୍ୟାଳୟକୁ ୭୨ ଘଣ୍ଟା ଯାଏଁ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଛି। କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟଗୁଡ଼ିକୁ ବନ୍ଦ କରାଯାଇଛି ବୋଲି ଲଖନପୁର ତହସିଲଦାର ସୂଚନା ଦେଇଛନ୍ତି।