୫୮,୦୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଲାଗି ଶିକ୍ଷା ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି। ମାର୍ଚ୍ଚ ୨୧ରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି। ଏପରିକି ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍କୁଲ ଖୋଲିନାହିଁ କି ପାଠପଢ଼ା ମଧ୍ୟ ଆରମ୍ଭ ହୋଇନାହିଁ। ତେବେ ଅଗଷ୍ଟ ପରେ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି। ଅପରପକ୍ଷେ ସ୍କୁଲ ଖୋଲିବା ପରେ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷାପୋଯୋଗୀ ପରିବେଶ ଲାଗି ଗୁରୁତ୍ୱ ଦିଆଯିବ। ଏପରିକି ୨୦୨୦-୨୧ ଲାଗି ରାଜ୍ୟର ଥିବା ସମସ୍ତ ୫୮ହଜାର ୮୯ଟି ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ। ତେବେ ଏହି ସ୍କୁଲଗୁଡ଼ିକର ଥିବା ପ୍ରାଥମିକ ସମସ୍ୟା ସହିତ ଅନ୍ୟ ଦିଗ ଉପରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରାଯିବ। ସମାଗ୍ରୀକ ଯୋଜନାରେ ଯେଉଁ ବଜେଟ ରହିଛି ତାହା ବାଦ ଏହି ସ୍ୱତନ୍ତ୍ର ଅନୁଦାନ ମିଳିବ।

ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ହଜାର ଟଙ୍କା, ପାଠ୍ୟପୁସ୍ତକ ଲାଗି ୮ହଜାର ଟଙ୍କା, ଖେଳ ସରଞ୍ଜାମ ଲାଗି ଅଢ଼େଇ ହଜାର ଟଙ୍କା, ଛାତ୍ରୀ ସ୍କୁଲଗୁଡ଼ିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ। ମୋଟ୍ ଉପରେ ପ୍ରତି ସ୍କୁଲକୁ ୨୧ ହଜାର ୫୦୦ ଟଙ୍କା ଦିଆଯିବ। ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ, ଯେଉଁ ଅର୍ଥ ଶିକ୍ଷକଙ୍କ ଲାଗି ତାଲିମ୍, ବିଭିନ୍ନ ପ୍ରତିଯୋଗିତା, ପ୍ରଦର୍ଶନୀର ଆୟୋଜନ ଲାଗି ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୭ ଲକ୍ଷ ୭୧ ହଜାର ୨୪୯ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ ଲକ୍ଷ ୧ ହଜାର ୬୨୧ ରହିଛି। ସରକାରୀ ସ୍କୁଲଗୁଡ଼ିକରେ କେବଳ ପିଲାଙ୍କୁ ପାଠ୍ୟପୁସ୍ତକରେ ସୀମିତ ରଖାଯାଉଥିବା ବେଳେ ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରାଯିବ। ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ କ୍ରୀଡ଼ା, କଳା, ସଙ୍ଗୀତ, ବିଜ୍ଞାନ ଆଦି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚି ଥିବ ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ରୟାସ କରାଯିବ।

ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାର ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ଲାଗି ଗତ କିଛିବର୍ଷ ହେବ ବିଭିନ୍ନ ଯୋଜନା ସ୍କୁଲଗୁଡ଼ିକରେ କାର୍ଯ୍ୟକାରୀ ହେଉଛି। ତେବେ ଅନୁଦାନର ଅଭାବ ନଥିବାରୁ ସ୍କୁଲଗୁଡିକର ଭିତ୍ତିଭୂମି ଏବଂ ଶିକ୍ଷାଦାନରେ ଉନ୍ନତି ଘଟିଛି। ଏହି ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଗଲେ ଅନେକ ଗ୍ରାମାଞ୍ଚଳରେ ଥିବା ସ୍କୁଲଗୁଡ଼ିକ ଉପକୃତ ହୋଇପାରିବେ। ତେବେ ୨୦୨୧ ଜାନୁଆରୀ ପୂର୍ବରୁ ଏହି ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି ରାଜ୍ୟରେ ପ୍ରାଥମିକ ସ୍କୁଲ ସଂଖ୍ୟା ୩୬ ହଜାର ୭୦ଟି ଥିବାବେଳେ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ରହିଛି ୨୨,୦୧୯। ସେହିପରି ମାଧ୍ୟମିକ ସ୍କୁଲକୁ ମିଶାଇଲେ ରାଜ୍ୟରେ ମୋଟ୍ ୫୮ହଜାର ୮୯ଟି ସ୍କୁଲ ରହିଛି। ଏହି ସ୍ୱତନ୍ତ୍ର ଅନୁଦାନରେ କେବଳ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜାମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ କରାଯିବ।