ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁମୁଦା ଅଞ୍ଚଳରୁ ଆଜି ଏକ ଟ୍ରକରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟ୍ରକ ଡ୍ରାଇଭର ଓ ତାର ସହଯୋଗୀ ସହିତ ଟ୍ରକ ମାଲିକକୁ ଗିରଫ କରାଯାଇଛି। ଗୁଦାରି ପୁଲିସ ଷ୍ଟେସନ ଏସଆଇ ପି. ଜୈନଙ୍କ ସୂଚନା ଅନୁସାରେ ଆଜି ଏକ ୧୪ ଚକିଆ ଟ୍ରକରେ ଗଜପତିର ରାଇପଙ୍ଗାରୁ ଉତ୍ତରପ୍ରଦେଶକୁ ପଦ୍ମପୁର, ଗୁମୁଦା ଓ ରାମନାଗୁଡ଼ା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା। ପରେ ପୁଲିସ ପକ୍ଷରୁ ତୁରନ୍ତ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିଲା।
ଏହି ସମୟରେ ପୁଲିସ ଏକ (ଆରଜେ-୧୪ଜିକେ-୧୦୩୬) ନମ୍ବର ଟ୍ରକରୁ ଗଞ୍ଜେଇ ଜବତ କରିଛି। ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର ଓ ତାର ସହଯୋଗୀ ସେଠାରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣିଛି। ତେବେ ଜବତ ଗଞ୍ଜେଇର ଓଜନ ୫୭୨ କିଲୋ ହୋଇଥିବାବେଳେ ଏହାର ମୂଲ୍ୟ ୫୬ ଲକ୍ଷ ୯୦ ହାଜର ବୋଲି କୁହାଯାଉଛି। ଏଥିସହିତ ଟ୍ରକ, ଏଟିଏମ କାର୍ଡ ଓ ଗୋଟେ ଜିଓ ମୋବାଇଲ ଫୋନ ଜବତ ହୋଇଛି। ସେହିପରି ପୁଲିସ ଗଞ୍ଜେଇ ଚାଲାଣର ମୂଲ ସ୍ରୋତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।