ଝାରସୁଗୁଡା ଜିଲ୍ଲାରେ ୫୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଗତ ୬ ଦିନରେ ୫୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପ୍ରଶାସନର ଚିନ୍ତା ବଢାଇଥିବାବେଳେ ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ବିଭିନ୍ନ ସ୍ଥାନରେ ଛାତ୍ରଛତ୍ରୀମାନେ ଆଣ୍ଟିଜେନ ଟେଷ୍ଟ କରାଇବା ପରେ ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୯ ତାରିଖରୁ ୧୪ ତାରିଖ ମଧ୍ୟରେ ଝାରସୁଗୁଡାର ୧୩ ଜଣ ନରସିଂହ କଲେଜର ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାସହ ଗତ ୧୦ ତାରିଖ ଦିନ ସାଲହେଟିକ୍ରା ହାଇସ୍କୁଲରୁ ୨ ଜଣ ଛାତ୍ରଛାତ୍ରୀ, ୧୧ ତାରିଖରେ ସାହାସପୁର ହାଇସ୍କୁଲରୁ ୯ ଜଣ ଛାତ୍ରଛାତ୍ରୀ ଓ ୧୩ ତାରିଖରେ ହେମସାଗର ଉଚ୍ଚ ବିଦ୍ୟାଳୟ ପାକେଲଖୋଲରୁ ୮ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।  ସ୍କୁଲ ଖୋଲିବା ପରଠୁ ଏପର୍ଯ୍ୟନ୍ତ ଜିଲ୍ଲାରେ ୫୪ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ ସମସ୍ତ ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।