ପଦୋନ୍ନତି ପାଇଲେ ୫୨ ଶିକ୍ଷା ସେବା ଅଧିକାରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ଶିକ୍ଷା ସେବାର ୫୨ ଜଣ ଅଧିକାରୀଙ୍କୁ ପ୍ରଥମଶ୍ରେଣୀ କନିଷ୍ଠ ବର୍ଗକୁ ପଦୋନ୍ନତିି ଦିଆଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍‌ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ, ପ୍ରଧାନ ଶିକ୍ଷକ ଆଦି ସମାନ ପଦବୀରେ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ଓଡିଶା ଶିକ୍ଷା ସେବା ସଂଘ ସ୍ୱାଗତ କରିଛି।

ସଂଘର ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ସନାତନ ପଣ୍ଡା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂୂଚନାଯୋଗ୍ୟ ଯେ, ସ୍କୁଲ ଶିକ୍ଷାରେ ଗୁଣାତ୍ମକ ବିକାଶ ଓ ଶିକ୍ଷା ପ୍ରଶାସନରେ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାଙ୍ଗଠନିକ ପୁନର୍ବିନ୍ୟାସ କରିଥିଲେ। ଏହି ପ୍ରକ୍ରିୟାରେ ୬୩ ଜଣ ଶିକ୍ଷାସେବା ଅଧିକାରୀଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାରୁ ବରିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା।

କନିଷ୍ଠ ପ୍ରଥମ ଶ୍ରେଣୀରେ ବହୁ ପଦବୀ ଖାଲି ପଡିଥିବାରୁ ଶିକ୍ଷା ସେବା ଦ୍ୱିତୀୟ ଶ୍ରେଣୀ ଅଧିକାରୀଙ୍କର ୨ ବର୍ଷ କୋହଳ କରାଯାଇ ପଦୋନ୍ନତି ଦିଆଯାଇଛି। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୨ ଜଣ ଶିକ୍ଷା ସେବା ଅଧିକାରୀଙ୍କୁ ପଦୋନ୍ନତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ୨୮ ଜଣ ପ୍ରଧାନଶିକ୍ଷକ ଏବଂ ୨୧ ଜଣ ବିଇଓଙ୍କର ପଦୋନ୍ନତି ହୋଇଥିବା ଜଣାପଡ଼ିଛି।