ଦେବଗଡ଼,ଏନ୍ଏନ୍ଏସ୍: ବିଧବା ବୃଦ୍ଧାଙ୍କୁ ଭତ୍ତା କରାଇ ଦେବା ବାବଦକୁ ୫୦୦ ଟଙ୍କା ନେବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ପଞ୍ଚାୟତସ୍ତର ଜନ ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳଙ୍କ ନିକଟରେ ବୃଦ୍ଧା ଜଣକ ଏହି ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡ଼ା ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଲୀଲାବତୀ ବେହେରାଙ୍କୁ ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ନିଲମ୍ବନ ସମୟ ସୀମା ମଧ୍ୟରେ ନିଲମ୍ବିତ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ବେହେରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଲୀଲାବତୀ ବେହେରାଙ୍କ ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ଗତ ସୋମବାର ସୁଗୁଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ଅସହାୟ ବୃଦ୍ଧା ସେଠାରେ ପହଂଚି ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତୀ ବେହେରା ଭତ୍ତା କରାଇଦେବାକୁ କହି ତାଙ୍କଠୁ ୫ଶହ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ । ଫଳରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟୟ ଅଭିଯୋଗର ତଦନ୍ତ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଇଥିଲେ । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ୱ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି ।