ବନିଶୀ କଣ୍ଟାରେ ପଡ଼ିଲା ବିରଳ ପ୍ରଜାତିର କଇଁଛ : ଶରୀରରେ କ୍ଷତ ହେତୁ ଓୟୁଏଟିରେ ହେବ ଅସ୍ତ୍ରୋପଚାର

ଭୁବନେଶ୍ବର : ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ । ଚୌଦ୍ୱାର ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ହାଟୁଆ ପୋଖରୀରୁ ଏକ ବିରଳ ପ୍ରଜାତିର କଇଁଛକୁ ଉଦ୍ଧାର କରିଛି ବନବିଭାଗ। ଏହାର ଓଜନ ୫୦ରୁ ୬୦ କିଲୋ ହୋଇଥିବା ବେଳେ ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଉଛି। ଏହି ବିରଳ ପ୍ରଜାତିର କଇଁଛର ଏକ ଲାଞ୍ଜ ରହିଛି ।

ସୂଚନା ମୁତାବକ କିଛି ଯୁବକ ପୋଖରୀରେ ମାଛ ଧରିବାକୁ ବନିଶୀ କଣ୍ଟା ପକାଇଥିଲେ । ଆଉ ଏହି କଣ୍ଟାରେ ମାଛ ବଦଳରେ କଇଁଛ ଲାଗିଥିଲା । ତେବେ ୫୦ରୁ ୬୦ କେଜିର ଏହି ବିରଳ କଇଁଛକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିଲା । ଆଉ ଏସବୁ ଭିତରେ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିଥିଲେ । ତେବେ କଇଁଛର ଶରୀରରେ ବଡ଼ ଧରଣର କ୍ଷତ ରହିଥିବାରୁ ଅପରେସନ ପାଇଁ ଓୟୁଏଟିକୁ ପଠାଯାଇଛି । ସେଠାରେ କଇଁଛର ଅପରେସନ ପରେ ତାକୁ ବିରୂପା ନଦୀରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।