କଏନ ଗିଳି ଯନ୍ତ୍ରଣାରେ ଛଟପଟ ୫ ବର୍ଷର ଶିଶୁ, ଜିଲ୍ଲାପାଳଙ୍କ ସହାୟତାରେ ଚିକିତ୍ସା ଆରମ୍ଭ

ଝରିଗାଁ,୨୮ା୮/ଏନ୍ଏନ୍ଏସ୍: ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତ ଲୁକାପଡ଼ାର ଜଣେ ୫ବର୍ଷର ଶିଶୁ କଏନ ଗିଳି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜିଲ୍ଲାପାଳଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହୋଇଛି ।

ସୂଚନାଅନୁଯାୟୀ, କୁଟ୍ରିଛାପର ପଞ୍ଚାୟତ ଲୁକାଗୁଡ଼ା ଗ୍ରାମର ନରସିଂ ପୂଜାରୀଙ୍କ ପୁଅ ହେମନ୍ତ ପୂଜାରୀ(୫) ଗତ ଶନିବାର ଅଙ୍ଗନବାଡ଼ି କେନ୍ଦ୍ରରୁ ଘରକୁ ଫେରୁଥିବାବେଳେ ଅଜାଣତରେ କଏନଟିଏ ଗିଳିଦେଇଥିଲେ । ସେ କଥାବାର୍ତ୍ତା ସମୟରେ କଷ୍ଟ ଅନୁଭବ କରୁଥିଲେ ମଧ୍ୟ ସେ ଏ ବିଷୟରେ କାହାରିକୁ କହିନଥିଲେ । ଦୁଇ ଦିନ ପରେ ରାତିରେ ଖାଦ୍ୟ ଖାଇବା ସମୟରେ ସେ ଆଉ ଖାଇନପରି ଚିକ୍ରାର କରି ଉଠିଥିଲେ । ରବିବାର ପରିବାର ଲୋକେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉମରକୋଟକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଏକ୍ସରେ କରିବା ପରେ ଶିଶୁଟିର ତଣ୍ଟିରେ ଏକ କଏନ ଅଟକି ରହିଥିବା ଜଣାପଡ଼ିଥିଲା । ଶିଶୁକୁ ନବରଙ୍ଗପୁର ନେବା ପାଇଁ ଡାକ୍ତର ପରାମର୍ଶ ଦେବାପରେ ଅର୍ଥ ଅଭାବରୁ ପରିବାର ଲୋକେ ଭାଗ୍ୟକୁ ଆଦରି ଘରକୁ ଫେରି ଆସିଥିଲେ । ପରେ ନରସିଂ ପତ୍ନୀ ଓ ପୁଅକୁ ନେଇ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲାପାଳ ଝରିଗାଁରେ ଜନଅଭିଯୋଗ ଶୁଣାଣି କରୁଥିବା ଜାଣି ସହାୟତା ପାଇଁ ଯାଇଥିଲେ । ସେଠାରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ତାଙ୍କୁ ୧ହଜାର ଟଙ୍କା ଦେବା ସହ ଶିଶୁଟିର ଚିକିତ୍ସା ପାଇଁ ନବରଙ୍ଗପୁର ପଠାଇବାର ବ୍ୟବସ୍ଥା କରିଥିଲେ । ଜିଲ୍ଲାପାଳଙ୍କ ଏହି ବଦାନ୍ୟତା ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।