ଭୁବନେଶ୍ୱରରେ ଆଗାମୀ ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ ହେବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୪୬ଜଣ ଭୁବନେଶ୍ବରର ବୋଲି ଜଣାପଡ଼ିଛି। ଏ ନେଇ ଭୁବନେଶ୍ୱର ଅଞ୍ଚଳ ହଟସ୍ପଟ ତାଲିକାରେ ରହିଛି। ଏହି ପରିପ୍ରେକ୍ଷୀରେ ବ୍ୟାପକ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆଗାମୀ ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାକୁ ଲକ୍ଷ ରଖାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୯୫୮ଟି ସାମ୍ପଲ ଟେଷ୍ଟ କରାଯାଇଛି ଏବଂ ଆଉ ୫ହଜାର ସାମ୍ପଲ ଟେଷ୍ଟ କରାଗଲେ ପ୍ରକୃତ ସ୍ଥିତି ସମ୍ପର୍କରେ ଜଣାପଡ଼ିବ ବୋଲି ଆଶା କରାଯାଇଛି। ଏ ନେଇ ଲ୍ୟାବ ଗୁଡ଼ିକୁ ଅପଗ୍ରେଡେସନ କରାଯିବ ବୋଲି କୁହାଯାଇଛି। ଯାହାଦ୍ୱାରା କମ୍ ସମୟରେ ବ୍ୟାପକ ଟେଷ୍ଟ କରାଯାଇପାରିବ।

ଏହି ପ୍ରକ୍ରିୟାରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ, ମୋବାଇଲ ଭ୍ୟାନ୍ ଯୋଗେ ସାମ୍ପଲ କଲେକ୍ଟ କରାଯିବ। ତେବେ ଏଥିରେ ଲୋକମାନଙ୍କୁ ୪ଟି କାଟାଗୋରୀରେ ଚୟନ କରାଯାଇ ସାମ୍ପଲ କଲେକ୍ଟ କରାଯିବ। ଏଥିରେ ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ପରିମଳ କର୍ମଚାରୀ, ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗଥିବା ଲୋକମାନଙ୍କ ସାମ୍ପଲ ଟେଷ୍ଟ ହେବ ବୋଲି କୁହାଯାଇଛି। ତେବେ ଏହି ସାମ୍ପଲ କଲେକ୍ସନ ବେଳେ ଲୋକମାନେ ସହଯୋଗ କରିବାକୁ ଶ୍ରୀ ତ୍ରିପାଠୀ କହିଛନ୍ତି। ତେବେ ଏଭଳି କମ୍ ସମୟରେ ବ୍ୟାପକ ସାମ୍ପଲ ଟେଷ୍ଟ କରିବାରେ ଓଡ଼ିଶା ପ୍ରଥମ।