ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ସଂଗଠନର ୫ ଆତଙ୍କୀ ନିହତ

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କଶ୍ମୀରର ପୁଲୱାମା ଏବଂ ସୋପିଆନ୍ ଜିଲ୍ଲାରେ ମଙ୍ଗଳବାର ଦୁଇଟି ଭିନ୍ନ ଏନ୍‌କାଉଣ୍ଟରରେ ୫ଜଣ ଆତଙ୍କୀ ନିହତ ହୋଇଛନ୍ତି । ନିହତ ଆତଙ୍କୀମାନେ ହିଜ୍‌ବୁଲ ମୁଜାହିଦ୍ଦିନ୍ ଏବଂ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ନିହତ ଲସ୍କରର ତିନିଜଣ ଆତଙ୍କୀ ସୋମବାର ସିଆର୍‌ପିଏଫ୍‌ର ପାଟ୍ରୋଲିଂ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଘଟଣାରେ ଜଣେ ଯବାନ ଆହତ ହୋଇଥିଲେ ।

ନିହତ ଲସ୍କର ଆତଙ୍କୀଙ୍କ ନିକଟରୁ ତିନୋଟି ଏକେ-୪୭ ରାଇଫଲ୍ ଜବତ କରାଯାଇଛି । ଅନ୍ୟପଟେ ସୋପିଆନ୍ ହୋଇଥିବା ଏନ୍‌କାଉଣ୍ଟରରେ ହିଜ୍‌ବୁଲ୍ ମୁଜାହିଦ୍ଦିନର ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ପୁଲ୍‌ୱାମା ଏବଂ ସୋପିଆନ୍‌ରେ ଆତଙ୍କୀ ଥିବା ଖବର ପାଇବା ପରେ ସିଆର୍‌ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୁଲିସର ସଂଯୁକ୍ତ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିବା ସେନା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିୟା ସୂଚନା ଦେଇଛନ୍ତି ।