ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଗୁଳିରେ ୫ ଆତଙ୍କୀ ନିହତ

କାଶ୍ମୀର,ଏଜେନ୍ସି: ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ପୁଲିସ ଓ ଯବାନଙ୍କ ମିଳିତ ଅପରେଶନ କରାଯାଇଥିଲା। ଏଥିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ ସୋପିଆନ ଜିଲ୍ଲାର ଦକ୍ଷୀଣ କାଶ୍ମୀରର ରେବାନ ଗାଁରେ ଆତଙ୍କବାଦୀମାନେ ଥିବା ଖବର ପାଇବା ପରେ ଆଜି ସକାଳେ ପୁଲିସ ଓ ସୁରକ୍ଷାବାହିନୀ ଏକ ମିଳିତ ଅପରେଶନ କରିଥିଲେ। ସେଠାରେ ଦୀର୍ଘ ୧୨ ଘଣ୍ଟା ଧରି ଅପରେଶନ ଜାରି ରହିଥିଲା। ଏଥିରେ ଭାରତୀୟ ସେନା, ସିଆରପିଏଫର ଯବାନ ଓ ସୋପିଆନ ପୁଲିସ ସାମିଲ ଥିଲେ।
ଏହି ଅପରେଶନରେ ୫ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ପୁଲିସର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।

ଏହି ଆତଙ୍କୀମାନେ ସ୍ଥାନୀୟ ଏକ ରେସିଡେନ୍ସିଆଲ ବିଲ୍ଡଂରେ ଥିବା ବେଳେ ପୁଲିସ ଅଚାନକ ରେଡ କରିଥିଲା। ପରେ ଆତଙ୍କୀମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିବା ବେଳେ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ। ତେବେ ଏଥିରେ ସାଧାରଣରେ କୌଣସି ଧନ ନଷ୍ଟ ହୋଇନଥିବା କୁହାଯାଇଛି। ସୂଚନା ଅନୁସାରେ ଗୁରୁବାର ପୁଲିସ ଜାମ୍ମୁ-କାଶ୍ମୀରର କୁଲଗାମରେ ପାଟ୍ରୋଲିଂ କରୁଥିବା ସମୟରେ ଆତଙ୍କୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ଯୈଶ କମାଣ୍ଡର ଆଇଇଡି ସହିତ ଗିରଫ ହୋଇଥିଲେ। ତେବେ ଏହି କରୋନା ମହାମାରୀ ସଂକଟ ସମୟରେ ଯବାନଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୪୯ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।