ଅଣ୍ଡାଭାତ ଖାଇ ୫ ଛାତ୍ରୀ ଅସୁସ୍ଥ, ବାସିଖାଦ୍ୟ ଦିଆଯାଇଥିବା ଅଭିଯୋଗ

ରାଉରକେଲା,ଏନ୍ଏନ୍ଏସ୍: ଲାଠିକଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ ଜଣ ଛାତ୍ରୀ ଆଜି ହଷ୍ଟେଲରେ ଅଣ୍ଡା ଓ ଭାତ ଖାଇ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉକ୍ତ ଖାଦ୍ୟ ବାସି ବୋଲି ଅଭିଯୋଗ ହୋଇଛି। ଆରଜିଏଚରେ ମାନଙ୍କୁ ଚିକିତ୍ସା କରାଯାଉଛି। ସେମାନଙ୍କ ଅବସ୍ଥା ସୁଧୁରୁ ଥିବା ଆରଜିଏଚ୍ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଅନୁଯାୟୀ, ଉକ୍ତ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ଅନୀତା ବରୁଆ, ଅର୍ଚ୍ଚନା ତିଗା, ଅମିତା ଭଗତ ମୁସକାନ ଗୁରିଆ, ଅନୀତା ମୁର୍ମୁ ଆଜି ସକାଳ ୯ଟା ସମୟରେ ହଷ୍ଟେଲରେ ପରଶା ଯାଇଥିବା ଭାତ, ଡାଲି ଓ ଅଣ୍ଡା ତରକାରୀ ଖାଇଥିଲେ। କିଛି ସମୟ ପରେ ସେମାନେ ବାନ୍ତି କରିବା ସହ ମୁଣ୍ଡ ବୁଲାଇ ଅସୁସ୍ଥ ଅନୁଭବ କରିଥିଲେ। ସେମାନେ ସ୍କୁଲ ଶିକ୍ଷୟିତ୍ରୀ ତାରାଲତା ନାୟକଙ୍କୁ ସୂଚିତ କରିଥିଲେ। ପରେ ସେମାନଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଛାତ୍ରୀମାନେ ବାସିଖାଦ୍ୟ ବୋଲି ଅଭିଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ଅନ୍ୟ କାରଣ ଯୋଗୁ ଛାତ୍ରୀମାନେ ଅସୁସ୍ଥ ଥିବା କହିଥିଲେ।