ପାଞ୍ଚ ପୁଅର ମା’ ଉପାସରେ ୩ ଦିନ

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ପାଞ୍ଚଟି ପୁଅ ଜନ୍ମ କରି ପାଳି ପୋଷି ବଡ଼ କରିଥିବା ମା’ ଏବେ ପରିଣତ ବୟସରେ ପୁଅମାନଙ୍କ ପାଇଁ ବୋଝ ପାଲଟିଛି। କେହି ଜଣେହେଲେ ପୁଅ ମୁଠାଏ ଖାଇବାକୁ ଦେଇ ପାଖରେ ନରଖିବାରୁ ଏହି ବୃଦ୍ଧା ଦୂର ସାମଲ(୭୬)ଙ୍କୁ ୩ ଦିନ ଧରି ଭୋକ ଉପବାସରେ ରହିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ରତାଗାଁ (କୁସୁନପୁର)ରେ ଘଟଛି।

ସୂଚନାକ୍ରମେ ୩୫ ବର୍ଷତଳେ ଦୂରଙ୍କ ସ୍ୱାମୀ ଧ୍ରୁବ ସାମଲଙ୍କ ଦେହାନ୍ତ ଘଟିଥିଲା। ସେ ପୁଅମାନଙ୍କୁ ବଡ଼ କଷ୍ଟରେ ମଣିଷ କରିଥିଲେ। କିଛିବର୍ଷ ହେବ ୪ପୁଅ ରୋଜଗାରପାଇଁ ଘରଛାଡି ବିଭିନ୍ନ ସ୍ଥାନରେ ରହିିବାରୁ ସେ ଦୁଇ ନମ୍ବର ପୁଅ ଅଜୟ ସାମଲଙ୍କ ନିକଟରେ ରହିଥିଲେ। ତେବେ ଅଜୟ ବିଭିନ୍ନ ଆଳ ଦେଖାଇ ମା’ଠାରୁ ସୁନାଗହଣା ନେଇ ବିକିଦେବା ପରେ ବ୍ୟାଙ୍କରୁ ଋଣ ଆଣିବାପାଇଁ ଜମି ବନ୍ଧାପକାଇବାକୁ ଦୂରଙ୍କୁ ପ୍ରବର୍ତ୍ତାଇଥିଲା। ସେ ଏଥିରେ ଅରାଜି ହେବାରୁ ତାଙ୍କୁ ଖାଇବାକୁ ନଦେଇ ଖଟାଇବା , ଟିକେ ଟିକେ କଥାରେ ମାଡ ମାରିବା ପରି ଅତ୍ୟାଚାର ଅଜୟ ଚଳାଇ ଆସିଥିଲେ। ଏ ସମ୍ପର୍କରେ ସେ ଅନ୍ୟ ୪ପୁଅ ଲଙ୍ଗୁଳି, ନିରଞ୍ଜନ, ରମେଶ ଓ ବିଜୟଙ୍କୁ ଜଣାଇଥିଲେ। କେହି କିଛି ନବୁଝିବାରୁ ମା’ ଦୂର ଭୁବନେଶ୍ୱରରେ ରହୁଥିବା ବଡପୁଅ ନିକଟରେ କିଛିଦିନ ରହିଥିଲେ। ତେବେ ଜମି ମଝିଆ ପୁଅକୁ ଦେଇଛ ସେ ଫସଲ ଖାଇବ, ଆମେ କାହିଁକି ପୋଷିବୁ କହି ବଡବୋହୂ ତାଙ୍କୁ ସେଠାରୁ ବିଦାକରିଦେବାରୁ ସେ ପୁଣି ମଝିଆ ପୁଅ ଅଜୟ ନିକଟକୁ ଫେରିଥିଲେ।

ସେହିପରି ତିନିଦିନ ତଳେ ଅଜୟ ନିଜ ସ୍ତ୍ରୀ ସହିତ ମିଶି ମା’ଙ୍କୁ ଘରୁ ବାହାର କରିଦେବାପରେ ସେ ଚାନ୍ଦୋଳ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ ହେଁ ଫାଣ୍ଡିି ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ। ୩ଦିନ ଭୋକ ଉପାସରେ ବୁଲିବାପରେ ଶେଷରେ କେହିଜଣେ ତାଙ୍କୁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଣିଥିଲେ। ଦୂର ନିଜ ଦୂରବସ୍ଥା ନେଇ ଜିଲା୍ଲପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମା’ ପ୍ରତି ଅବହେଳା ନେଇ ପୁଅମାନଙ୍କୁ ଡାକି ପଚରା ଉଚରା କରାଯିବ ବୋଲି ପ୍ରଶାସନ ବୃଦ୍ଧା ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ପ୍ରଶାସନ ପକ୍ଷରୁ ତାଙ୍କୁ ପାଟଳିପଙ୍କଠାରେ ଥିବା ଜରାନିବାସରେ ରହିବାପାଇଁ ପଠାଯାଇଥିବା ଜଣାପଡ଼ିଛି।