ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବଖରା ଘର

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦିଗଧର ଗ୍ରାମପଞ୍ଚାୟତର ଖୁଣ୍ଟାପୋସି ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ପାଞ୍ଚ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ସୂଚନା ଅନୁସାରେ, ଉକ୍ତ ଗ୍ରାମର ଶଙ୍ଖ ପଇଦାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଆୟତ୍ତକୁ ଆସିବା ବେଳକୁ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ଏଥିରେ ଧାନ, ଚାଉଳ ଏବଂ ଆବଶ୍ୟକୀୟ କାଗଜ ପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ତେବେ ଗରିବ ଆଦିବାସୀ ଶଙ୍ଖ ପଇଦାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।