ଶକ୍ତି ଦେଖାଇବ ଭାରତ: ଅମ୍ବାଲାରେ ପହଞ୍ଚିଲା ୫ଟି ରାଫେଲ

ନୂଆଦିଲ୍ଲୀ: ଫ୍ରାନ୍ସରୁ ୭ହଜାର କିମି ଯାତ୍ରା କରି ୫ଟି ରାଫେଲ ହରିୟାଣାର ଅମ୍ବାଲା ଏୟାବେସରେ ପହଞ୍ଚିଛି। ଏୟାରବେସରେ ପହଞ୍ଚିବା ପରେ ୫ଟି ରାଫେଲ ଲଢ଼ୁଆ ବିମାନକୁ ୱାଟର ସେଲ୍ୟୁଟ ଦିଆଯାଇଛି। ଏହି ସମୟରେ ବାୟୁସେନାର ମୁଖ୍ୟ ଆରକେଏସ ଭଦୋରିୟା ଉପସ୍ଥିତ ରହି ବିମାନକୁ ସ୍ୱାଗତ କରିଥିଲେ।

ଭାରତୀୟ ସୀମାରେ ପ୍ରବେଶ କରିବା ପୂର୍ବରୁ ଏହି ୫ଟି ରାଫେଲ ଲଢ଼ୁଆ ବିମାନକୁ ଆରବ ସାଗରରେ ନିଯୁକ୍ତ ଥିବା ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ସ୍ୱାଗତ କରିଥିଲା। ୟୁଏଇରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୨ଟି ଟୁ-ସିଟର ଓ ୩ଟି ସିଙ୍ଗଲ-ସିଟର ରାଫେଲ ଏବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଏହି ଯୁଦ୍ଧ ବିମାନ ୬ଟି ସୁପରସୋନିକ ମିସାଇଲ ଓ ଲେଜର ଗାଇଡେଡ ବମ ସହ ଉଡ଼ାଣ ଭରିପାରିବ। କେବଳ ଏତିକି ନୁହେଁ ଲଗାତାର ୧୦ ଘଣ୍ଟାର ଉଡ଼ାଣ ଭରିବା କ୍ଷମତା ମଧ୍ୟ ଏହି ରାଫେଲ ଯୁଦ୍ଧ ବିମାନଠାରେ ରହିଛି।

ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ଭାରତୀୟ ଇତିହାସରେ ନୂଆ ଯୁଗ ଆରମ୍ଭ ହୋଇଥିବା କଥା କହିଛନ୍ତି। ଏଥିସହିତ ‘ଭାରତୀୟ ବାୟୁସେନାରେ ରାଫେଲ ବୈପ୍ଳବିକ ପରିବର୍ତ୍ତନ’ ଆଣିବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।