ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ସମୀରଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଚଳିତ ବର୍ଷ ଭଲ ଧାନ ଅମଳ ହୋଇଥିଲେହେଁ ବିକ୍ରି କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର ଚାଷୀ। ମଣ୍ଡିରେ ଗଦା ଗଦା ଧାନ ପଡ଼ି ରହିଥିବାବେଳେ ରାତି ଅନିଦ୍ରା ହୋଇ ଜଗି ବସିଛି ଚାଷୀ। ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସରକାରଙ୍କୁ ସେ ୫ଟି ପ୍ରଶ୍ନ ପଚାରିବା ସହ ଉତ୍ତର ଲୋଡ଼ିଛନ୍ତି।

ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ମହାନ୍ତି ଆକ୍ଷେପ କରିଛନ୍ତି ଯେ କେନ୍ଦ୍ର ସରକାର ଧାନ ମଣ୍ଡିଗୁଡିକରେ ଭିତ୍ତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଚାଷୀଙ୍କ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପ୍ସ ପାଖରେ କୋଟି କୋଟି ଟଙ୍କା ପଡ଼ିରହିଛି। ଏ ଟଙ୍କା ଚାଷୀ ପାଉନି। ଏହା କାହା ପକେଟକୁ ଗରମ କରୁଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।

ଶ୍ରୀ ମହାନ୍ତି ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ଏହି ସଂଖ୍ୟା ଏବେ କେତେରେ ପହଞ୍ଚିଛି? ଏବେ ମଣ୍ଡିରେ ପଡ଼ିଥିବା ଚାଷୀର ଧାନ କିଣିବା ପାଇଁ କଣ୍ଟିଜେନ୍ସିଂ ଫଣ୍ଡରୁ ଅର୍ଥ ଆଣି ସରକାର ତୁରନ୍ତ ବ୍ୟବସ୍ଥା କରିବେ କି? ପ୍ରଧାନମନ୍ତ୍ରୀ କିଷାନ ନିଧିରେ ପ୍ରଥମ କିସ୍ତିରେ ରାଜ୍ୟର ୩୮ ଲକ୍ଷ ଚାଷୀ ଲାଭବାନ ହୋଇଥିବାବେଳେ ଏହି ସଂଖ୍ୟା ୭ମ କିସ୍ତିକୁ ୯ ଲକ୍ଷକୁ ଖସି ଆସିଛି। ଓଡ଼ିଶା ସରକାର ଚାଷୀଙ୍କ ତାଲିକା କମ୍କଲେ କାହିଁକି? ରାଜ୍ୟର ପ୍ରତି ବ୍ଲକକୁ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଥିଲା। ସରକାର ଏଥିରେ ବିଫଳ କାହିଁକି ହୋଇଛନ୍ତି? ଆଳୁ, ପିଆଜ ମିଶନ ଏବଂ ରାଜ୍ୟରେ ପରିବା ଚାଷ ବିଫଳ ହେବା ପଛରେ ଶୀତଳ ଭଣ୍ଡାରର ବଡ଼ ସମସ୍ୟା ରହିଛି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାରର ପ୍ରତିଶ୍ରୁତି କୁଆଡ଼େ ଗଲା।

ଏସବୁ ପ୍ରଶ୍ନର ସଠିକ ଉତ୍ତର ତଥ୍ୟ ଆଧାରରେ ସରକାର ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।